କାରାକବିତା

 

 

 

 

 

 

 

 

 

କାରା କବିତା

ଗୋପବନ୍ଧୁ ଦାସ

 

ସୂଚୀପତ୍ର

 

୧.

ନିତ୍ୟଧାମ ନୀଳାଚଳ

୨.

ବ୍ୟଥିତ ପ୍ରାଣର ଅନ୍ତିମ ଅଶ୍ରୁ (ଜଣେ ଆଜୀବନ ସହକର୍ମୀଙ୍କ ପ୍ରତି)

୩.

କାହିଁ ଅଛ ?

୪.

ଆହା ଚାଲିଗଲେ !

୫.

ପିତୃପକ୍ଷ ତର୍ପଣ

୬.

ବନ୍ଦୀର ବିରହ-ବ୍ୟଥା

୭.

ବନ୍ଦୀର ସାନ୍ଧ୍ୟ ଭକ୍ତି

୮.

ବନ୍ଦୀର ସ୍ୱଦେଶ ଚିନ୍ତା

୯.

ବନ୍ଦୀର ସନ୍ଧ୍ୟା-ଭାବନା

୧୦.

କାରାରେ ଜଣେ ବନ୍ଧୁଙ୍କ ବିୟୋଗବାର୍ତ୍ତା ଶୁଣିବା ପରେ

୧୧.

ଦେଖାଦିଅ ବାରେ

୧୨.

ପ୍ରେମର କି ଏହି ପରିଣାମ ?

୧୩.

ବିଶ୍ୱର ମିଳନ ଚିତ୍ର

Image

 

ନିତ୍ୟଧାମ ନୀଳାଚଳ

 

ନୀଳଚକ୍ର ତଳେ କେ କରିବ ବାସ

 

କେ ଦେଖିବ ନୀଳାଚଳେ ନିତ୍ୟରାସ

 

ବୋଲି ହରି ହରି

 

କେ ପ୍ରେମ ଭିକାରି

 

ପୁରାଣ-ପୁଲକେ ତେଜିବ ନିଶ୍ୱାସ ?

।୧।

 

 

ସେହି, ନାହିଁ ଯାର ନିଜ ପର ଜ୍ଞାନ

 

ପାଏ ନୀଚ ଯାର ସ୍ନେହ ସନମାନ

 

ବିଶ୍ୱ ହିତେ ଯାର

 

ଆହାର ବିହାର

 

କରେ ବିଶ୍ୱହିତେ ଯେ ଜୀବନ ଦାନ

।୨।

 

 

ସେହି, କରେ ଯେହୁ ସତ୍ୟ ଆଚରଣ,

 

ସତ୍ୟ ଆରାଧନା, ସତ୍ୟ ସମ୍ଭାଷଣ,

 

ଭିତର ବାହାର

 

ଯାର ସତ୍ୟ ସାର,

 

ସୁଖେ ଦୁଃଖେ ସଦା ସତ୍ୟ ଯା ଶରଣ

।୩।

 

 

ନାହିଁ ଜାତି ଭେଦ, ନାହିଁ ଧର୍ମଭେଦ,

 

ସାମ୍ୟମୈତ୍ରୀମନ୍ତ୍ରୀ ଗାଏ ଯାର ବେଦ,

 

କେ କରିବ ଭବେ

 

ଦେବତା ମାନବେ,

 

ନୀଳାଚଳେ ତାର ପ୍ରବେଶ ନିଷେଧ ?

।୪।

Image

 

ବ୍ୟଥିତ ପ୍ରାଣର ଅନ୍ତିମ ଅଶ୍ରୁ

(ଜଣେ ଆଜୀବନ ସହକର୍ମୀଙ୍କ ପ୍ରତି)

 

କାହା’ଗେ ଗାଇବି ପରାଣ-ସଙ୍ଗୀତ

କା ପାଶେ ବାଇବି ଅନ୍ତର-ବୀଣା,

କା କାନେ କହିବି; ମରମ ବେଦନା

ମନକଥା ମନେ ରହିଲା ସିନା !

ଜୀବନ-ପ୍ରଭାତେ ଆପଣାର ବୋଲି

କରିଥିଲି ଯାକୁ ପରାଣ-ସଖା,

ସେ ତ ନ ଜାଣିଲା ମୋ ଅନ୍ତର ଗତି

ଦେଲା ମୋ ପରାଣେ ଦାରୁଣ ଧକ୍କା ।

ଯା ମୁଖ ଅନାଇଁ ଅନ୍ତିମ ସଙ୍କେତ

ଦେଇ ଲଭିଥାନ୍ତି ଶେଷ ସାନ୍ତ୍ୱନା,

ମୋ ନେତ୍ର-ଲୋତକେ ସତ୍ୟ ସରଳତା

ନ ଦେଖି ଦେଖେ ସେ ନୀଚ ଛଳନା ।

ଯାର ଗଉରବେ ମୋ ଭାଗ୍ୟ ବିଭବ

ଯାର କୃତିତ୍ୱ ଏ ପ୍ରାଣ ଉଲ୍ଲାସେ,

ମୋର ଉପଯୋଗେ ସେ ଯେବେ କାତର

ଏ ଜୀବନ ଆଉ କି ସୁଖ ଆଶେ ?

ଜୀବନ କି ଖାଲି ନିରାଶାର ବାଲି,

ମରୁ-ମରୀଚିକା ସେନେହ ପ୍ରୀତି,

ତେବେ କି ଆଶାରେ କହ ଏ ସଂସାରେ

ପର ଲାଗି ନର ମରୁଚି ନିତି ?

ପ୍ରେମ ପରା ସହେ ସହି ସୁଖ ପାଏ

ପ୍ରେମ ନ ଜାଣଇ କେବେ ଶୋଚନା,

ପ୍ରିୟଜନେ ନୁହେ ପ୍ରେମିକ ବିମୁଖ

ହେଲେ ହେଉ ଯେତେ ଗୁରୁ ଗଞ୍ଜଣା ।

ମୋ ପ୍ରେମ କି ସତେ କେବଳ ଛଳନା

ଲୋଡ଼େ ଅଲକ୍ଷିତେ ଆପଣା ସୁଖ ?

କରୁଛି କି ମୁହିଁ ଆତ୍ମ-ପ୍ରବଞ୍ଚନା

ତେଣୁ ମୋ ମନେ ଏ ଦାରୁଣ ଦୁଃଖ ।

ଲଭିଅଛି ଏବେ ଆତ୍ମପରିଚୟ

ଲଭିଅଛି ମୋର ହୃଦ କାଳିମା,

କର ପ୍ରାଣସଖା ତିବ୍ର କଷାଘାତ

ପରଖ ଏ ହୃଦ ସହନ ସୀମା ।

ବିଷାକ୍ତ ନୟନେ ମୋ ସରଳ ପ୍ରାଣେ

ଦେଖ ଯେବେ ସଖା କପଟ-କାଳି,

ଆଖି ପୋଛି ଦେଖ ମୋ ହୃଦେ ତୋ ହୃଦ,

ଆତ୍ମପରିଚୟେ ନ ଦିଅ ଗାଳି ।

ଗାଳି ଗଞ୍ଜଣାକୁ ନାହିଁ ମୋର ଛଳ

ତୁମ ଅନୁତାପ ଏକ ଶୋଚନା,

ପାଅ ଯେବେ ସୁଖ ସେ କଟୁ ବଚନେ

ଦେବ ତା ମୋ ହୃଦେ ମଧୁ ମୁର୍ଚ୍ଛନା ।

ଫୁଲ ପରି ପ୍ରେମ ଝାଉଁଳେ କି ବନେ

ପ୍ରେମ ଯେ ଅନନ୍ତ ଅକ୍ଷୟ ଧାରା,

ଦୂର କଲେ ମତେ ହେବ କି ଅନ୍ତର

ତୁମେ ଯେ ମୋ ପ୍ରାଣ-ପ୍ରଣୟ-କାରା ।

ଏ ଜୀବନେ ପ୍ରେମ ନୁହେ ଅବସାନ

ଅନ୍ୟ ସ୍ଥାନେ ପୁଣି ହେବ ତ ଦେଖା,

ଶୁଦ୍ଧ ନେତ୍ରେ ତହିଁ ଦେଖିବ ମୋ ହୃଦେ

ପ୍ରେମ ରସାଣିତ ଅମୃତ ଲେଖା ।

ପ୍ରେମେ ଅବଗାହି ନିଜ ପରିଚୟ

ପାଇଅଛି ମୁଁ ଏ କ୍ଷୁଦ୍ର ଜୀବନେ,

ମୋ ହୃଦ-କଲ୍ଲୋଳ ଉଛୁଳେ ଉଲ୍ଲାସେ

ଜଳେ ସ୍ଥଳେ ଫଳେ ଫୁଲେ ଗଗନେ ।

ଶତ ଆବର୍ଜନା ସହସ୍ର ତାଡ଼ନା

କିବା ଶତ ସ୍ନିଗ୍ଧ ସୁମନ-ହାର,

ଏ ପ୍ରେମେ-କଲ୍ଲୋଳେ ସମାନ ସକଳେ

ପରମ ସାଦର ସ୍ନେହ ସମ୍ଭାର ।

ନିଜକୁ ଭୁଲି ମୁଁ ପାଇଅଛି ସଖା

ନିଜ ପରିଚୟ ନିଜ ତୃପତି,

ତବ କଷାଘାତେ ଜନମିଛି ମୋର

କଠୋର ପ୍ରହାର ସହା ଶକତି ।

ଗାଢ଼ ଆଲିଙ୍ଗନ ସୁଚାରୁ ଚୁମ୍ବନ

ଅଶ୍ରୁଧାରା ଯେଉଁ ପ୍ରେମ ବ୍ୟଞ୍ଜନା,

ଲୋହିତ ଲୋଚନ ନିଷ୍ଠୁର ବଚନ

ଓଲଟ ଈକ୍ଷଣେ ତାର ଲାଞ୍ଛନା ।

ଏ ବେନି ବିଭାବ ହେଲା ଅନୁଭବ

ଅଳପ ଦିବସେ ତୁମ ସଙ୍ଗତେ,

କେତେ ସୁଖଦୁଃଖ ସୁହାସ ଲୋତକ

ନିଭାଇଲି ଏହି ଅଙ୍ଗେ ଗୁପତେ ।

ତବ କୋପାନଳେ ବିଦଗଧ ହୋଇ

ଝଳିଛି ଦି’ଗୁଣେ ଏ ମୋ ପରାଣ,

ବୁଝିଛି ଜଗତେ ରୋଷ ତୋଷ ବେନି

ପ୍ରେମମୟଙ୍କର ପ୍ରେମ ପ୍ରଦାନ ।

ତାଙ୍କ ପ୍ରେମ-ରାଜ୍ୟେ ନାହିଁ ଅସୁନ୍ଦର

ଅସତ୍ୟ ଅନ୍ୟାୟ ଅଶୁଭ ବିନ୍ଦୁ

କି ମୋର ଭାବନା ମୋ ପ୍ରାଣ-ପ୍ରବାହ

ଭେଟିଅଛି ଆଜି ସେ ପ୍ରେମସିନ୍ଧୁ ।

Image

 

କାହିଁ ଅଛ ?

 

କାହିଁ ଅଛ ନାଥ ପରାଣ ଦେବତା

ଦେଖାଦିଅ ମତେ ଥରେ ହେ,

ଭବ-ପାରାବାରେ ବିଷମ ପ୍ରହାରେ

ଏ ହୃଦୟ ମୋର ଥରେ ହେ ।

ତୁମେ ପରା ପ୍ରଭୁ ମୋ ଅନ୍ତରଯାମୀ

ଦିଶୁନାହିଁ ତ ଅନ୍ତରେ ହେ,

ରହିଥିଲେ ଲୁଚି ଦିଅ ବେଗେ ସୂଚି

ଦେଖାହେବ କି ମନ୍ତରେ ହେ ।

ସାରା ବିଶ୍ୱ ଭରି ପ୍ରକାଶିଛ ହରି !

ବେଦ ବନ୍ଦେ ସଙ୍ଗୀତରେ ହେ,

ରୂପ ରେଖ କାହିଁ ଏବେ ଦିଶୁ ନାହିଁ

ବାହାରେ କିବା ଭିତରେ ହେ ।

ସେ ଦିବ୍ୟ-ଅଞ୍ଜନ ପ୍ରଭୁ ନିରଞ୍ଜନ !

ଦିଅ ଏ ନେତ୍ରରେ ବାରେ ହେ,

ତବ ଜ୍ୟୋତିରେଖା ହେଉ ପଥେ ଦେଖା

ଆଜି ଅମା-ଅନ୍ଧକାରେ ହେ ।

Image

 

ଆହା ଚାଲିଗଲେ !

 

କି ମୋହନିଦ୍ରା ମୋତେ ଘୋଟିଥିଲା

କିପାଁ ପାପ ଆଖି ନ ଫିଟିଲା । ଘୋଷା ।

ପାଖରେ ମୋର ବସି

ଚାରୁ ମୋହନବଂଶୀ

ବଜାଇ କି ବେଗେ ସେ ଚାଲିଗଲା ।

ଡାକିଲା କେତେ ଥର

ହେବାକୁ ଉଜାଗର,

ପଦେ ହେଲେ ଉତ୍ତର ନ ଆସିଲା ।

ମୋ କକ୍ଷ ଅନ୍ଧକୂପ

ସେ ପ୍ରଭାମୟ ରୂପ

ଆଲୋକ କାହିଁ କ୍ଷଣେ ଲିଭିଗଲା ।

ନ ମେଲିଲି ନୟନ

ପଥେ ପଡ଼ିବା ଧନ

ଏ ଭାଗ୍ୟହୀନ ନେତ୍ର ନ ଦେଖିଲା ।

Image

 

ପିତୃପକ୍ଷ ତର୍ପଣ

 

ଆସିଅଛି ପିତୃପକ୍ଷ କରୁଛି ତର୍ପଣ

ମନ୍ତ୍ରପାଠ ତିଳୋଦକେ କରେଁ ସମର୍ପଣ ।

ପିତୃ ପିତାମହଗଣ ବୈଦିକ ବିଧାନେ,

ଦେବଗଣେ ଋଷିଗଣେ ପୂଜେ ଜଳଦାନେ ।

ଅଧିକ କରିବି କିବା ଏଥି କାରାବାସେ,

ଏ ଆଶ୍ୱାସ ସଙ୍ଗେ ମନେ ସଂଶୟ ମୋ ଆସେ ।

ମୁଁ ଯେ କାରାଗାରେ ବନ୍ଦୀ, ବନ୍ଦୀର ତର୍ପଣ

କରନ୍ତି କି ପିତୃଲୋକେ ସାଦରେ ଗ୍ରହଣ ?

ବନ୍ଦୀ ଉଚ୍ଚାରିତ ସ୍ୱାହା ସ୍ୱଧା ବଷଟ୍‍କାର

ଦିଅଇ କି ପିତୃଲୋକେ ଶୁଦ୍ଧ ସୁଧାଧାର ?

ବନ୍ଦୀ ପରା ଅପରାଧୀ କଳୁଷିତ ପ୍ରାଣ ,

ପିତୃ ଦେବଗଣେ ଗ୍ରାହ୍ୟ କିପରି ତା ଦାନ ?

ଅକାରଣ ତେବେ କି ମୋ ଉଦକ-ଅଞ୍ଜଳି,

ଏ ତିଳ ତଣ୍ଡୁଳ ମାତ୍ର କାକ-ଶ୍ୱାନ-ବଳି ?

କରୁଛି କି ପଣ୍ଡଶ୍ରମ ଉଷୀର କର୍ଷଣ,

କାରାଗାର କଷ୍ଟସାଧ୍ୟ ବୃଥା ଆୟୋଜନ ?

ନିରାଶା ସଂଶୟେ ପ୍ରାଣ ବ୍ୟାକୁଳ ବିଶେଷ,

କେ ଏଥି ତୋଷିବ ମନ ଦେଇ ଉପଦେଶ ?

ମୁଁ କି ଦୋଷୀ ? ପଚାରିଲେ ଅନ୍ତରେ ଅନାଇଁ

ଅନ୍ତରୁ ଉତ୍ତର ଆସେ ନାହିଁ ନାହିଁ ନାହିଁ

ନୁହେ ନରହନ୍ତା କିବା ପରଧନହାରୀ,

ପରଶି ନାହିଁ ଏ ତନୁ କେବେ ପର ନାରୀ ।

ଜ୍ଞାତସାରେ ଦେଇନାହିଁ ପର ପ୍ରାଣେ ପୀଡ଼ା

ଅପରାଧେ ଅନ୍ୟ ପାଶେ ହୋଇନାହିଁ ଛିଡ଼ା

ହରି ନାହିଁ କେବେ ଶସ୍ୟ ବଳେ ପର କ୍ଷେତୁଁ,

କାଟି ନାହିଁ ସାଧାରଣ ଜଳାଶୟ ସେତୁ ।

କରି ନାହିଁ ଶାନ୍ତିଭଙ୍ଗେ କାହିଁ ଆୟୋଜନ,

ଦେଇ ନାହିଁ ଜାତି-ଧର୍ମ-ବିଦ୍ଵେଷ-ଭାଷଣ ।

କରି ନାହିଁ ପରନିନ୍ଦା ଈର୍ଷା ସହକାରେ,

ଅପରାଧେ କଳୁଷିତ ତେବେ କି ପ୍ରକାରେ, ?

କହନ୍ତି ମତେ ସେ ରାଜନୀତି-ଅପରାଧୀ,

ରାଜାପ୍ରତି ମନେହେଲେ କେବେ ନାହିଁ ବାଧି ।

ରାଜା ପ୍ରଜାଙ୍କର ଶାନ୍ତି ଶୁଭ ଅଭିଳାଷେ,

ପ୍ରତ୍ୟହ ପ୍ରାର୍ଥନା ମୋର ବିଭୁପଦ ପାଶେ ।

କାହିଁ ରାଜଧର୍ମ ଆଜି ପବିତ୍ର ପ୍ରଭାତେ,

ମରନ୍ତି ଯେ ଦେଶେ ପ୍ରଜା ଦୁର୍ଭିକ୍ଷ ଆରତେ ?

ସୀତା ଦମୟନ୍ତୀ ବଂଶେ ଜାତ କୁଳାଙ୍ଗନା,

ଲଭନ୍ତି ଯେ ଦେଶେ ଆଜି ଘୋର ନିର୍ଯ୍ୟାତନା ।

ପ୍ରଜା ଲାଗି ସର୍ବତ୍ୟାଗ ଯହିଁ ରାଜନୀତି,

ମହାରାଜା ରାମଚନ୍ଦ୍ର ଲୋଡ଼ି ପ୍ରଜାପ୍ରୀତି ।

ତେଜିଥିଲେ ପ୍ରାଣପ୍ରିୟା ସୀତା ବନବାସେ,

ଏହିକି ସେ ଦେଶ ଯହିଁ ପ୍ରଜାହିତ ଆଶେ,

ଜ୍ୟେଷ୍ଠସୁତ ଅସମଞ୍ଜେ ସଗର ରାଜନ

ଅକାତରେ କରିଥିଲେ ଦେଶୁଁ ବିସର୍ଜନ ?

ରାଜପଦ ଅର୍ଥ ଯହିଁ ପରଜା ରଞ୍ଜନ,

ସହେ ପ୍ରଜା ତହିଁ ଏବେ କି ଗୁରୁ ଗଞ୍ଜନ ?

ରାଜଧର୍ମ କ୍ଷାତ୍ରଧର୍ମ କ୍ଷତୁଁ କରେ ତ୍ରାଣ,

ରାଜନୀତି ଚୋଟେ ଯେବେ କ୍ଷତ ପ୍ରଜାପ୍ରାଣ ।

ରାଜନୀତି ଚୋଟେ ଯେବେ ରାଜନୀତି ନାମେ,

ସତ୍ୟ ରାଜନୀତି କାହିଁ ଏ ଭାରତ ଧାମେ ?

ପ୍ରଜା ଲାଗି ରାଜା, ପ୍ରଜା ହିତେ ରାଜନୀତି,

ପ୍ରଜା ଇଚ୍ଛା ଅଭିମତ ରାଜ୍ୟ ମୂଳଭିତ୍ତି ।

ସାର୍ବଭୌମ ସନାତନ ଏ ଶାସନ ବିଧି,

ଲଭିଛି ସର୍ବତ୍ର ଆଜି ବିଶେଷ ପ୍ରସିଦ୍ଧି ।

ଭାରତ ଶାସନେ କିନ୍ତୁ ବ୍ୟବସ୍ଥା ସ୍ୱତନ୍ତ୍ର

ଏ ରାଜ୍ୟେ ଅମାତ୍ୟସଂସ୍ଥା ରାଜନୀତି ଯନ୍ତ୍ର ।

କାହିଁ ଏଥି ରାଜା ? ଏ ଯେ ନୌକର-ସାହି

ପ୍ରଜା ଶୁଖ ଶାନ୍ତି ନାମେ ବୃଥାଧର୍ମଦ୍ୱାହି ।

ପ୍ରଜାହିତ ପ୍ରଜାମତ ଛଳନା କେବଳ,

ପ୍ରେଷ୍ୟ ଗୋଷ୍ଠୀ ଇଚ୍ଛାଧୀନ ଏ ଶାସନ କଳ ।

ସ୍ୱାଧୀନତା ମାନବର ଜନ୍ମ ଅଧିକାର

ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର,

ସ୍ୱାଧୀନ ଜୀବନ ପୁଣି ସ୍ୱାଧୀନ ସମିତି,

ଚାରି ସ୍ତମ୍ଭେ ମାନବର ସମାଜ ସଂସ୍ଥିତି ।

ଭାରତେ ଅମାତ୍ୟସଂସ୍ଥା ରାଜନୀତି ଆଜ

ଓପାଡ଼ି ଏ ଚାରି ସ୍ତମ୍ଭ ଭାଙ୍ଗିଛି ସମାଜ;

ଦେବଭୂମି କର୍ମଭୂମି ଧର୍ମଭୂମି ସାର

ଭାରତରେ ନାହିଁ ନର ଜନ୍ମ ଅଧିକାର ।

ଆର୍ଯ୍ୟଋଷି ପ୍ରତିଷ୍ଠିତ ପବିତ୍ର ଭାରତ

ନିସ୍ତେଜ ନିଷ୍ପ୍ରଭ ଦୀନ ପରପଦାନତ ।

ଦେଖି ଏ ଦୁର୍ଗତି ମୋର ପିତୃ ପିତାମହ

ଅନ୍ତରୀକ୍ଷେ ଦେବଗଣ ଋଷିଗଣ ସହ

ବିକଳେ କାନ୍ଦନ୍ତି,ମୋର ହୃଦେ ଏ ପ୍ରତୀତି,

ମାନିବି କିପରି ତେବେ ଏ ଶାସନନୀତି ?

ରାଜନୀତି ଉଲ୍ଲଙ୍ଘନେ ନାହିଁ ମୋର ଦୋଷ

ଏଥି ମୋର ପିତୃଗଣ ଲଭନ୍ତି ସନ୍ତୋଷ ।

ନୁହେଁ ଯେଉଁ ନୀତି ପ୍ରଜାମତ ଅନୁକୂଳ

ଯାର ନିଷ୍ପେଷଣେ ପ୍ରଜା ବିବ୍ରତ ବ୍ୟାକୁଳ,

ଯାର ବ୍ୟୂହେ ଏକ ଦେଶେ ଅନ୍ୟ ଅଧିଗତ,

ଏକ ଜାତି ଅନ୍ୟ ଜାତି ଚିର ପଦାନତ,

ଯାର ଚକ୍ରେ ତ୍ରିଂଶ କୋଟି ଭାରତ ସନ୍ତାନ

ନିଜ ବାସେ ପରବାସୀ ନିଜ ଦେଶେ ଶ୍ୱାନ,

ଯାର ଫଳେ ଉପବାସୀ ମୋର ଦେଶବାସୀ

ଭାରତ ଜନନୀ ମୋ ପରଦ୍ୱାରେ ଦାସୀ,

ନୁହେ ସେ ନୀତି ମୋ ପିତୃ ଦେବର୍ଷିସମ୍ମତ,

ନୁହେଁ ତାହା ଆର୍ଯ୍ୟଧର୍ମ ନ୍ୟାୟ ସୁସଙ୍ଗତ ।

ଅପରାଧେ ନୁହେ ନିଶ୍ଚେ ସେ ନୀତି ଲଙ୍ଘନ,

ଭାରତର ଧର୍ମ ଯାର ଉଚ୍ଛେଦ ସାଧନ ।

ଆସ ବିଶ୍ୱଦେବା, ଆସ ମହର୍ଷିନିବହ

ଆସ କୁରୁକୁଳ ବୃଦ୍ଧ ଭୀଷ୍ମ ପିତାମହ !

ଆସ ବର୍ହିଷଦ ଆଦି ସର୍ବ ପିତୃଗଣ,

ଆସ ସର୍ବ ବସୁ ଯମ ଅନଳ ପବନ;

ଆସ ବନସ୍ପତି ଗିରି ସରିତ ସାଗର,

କେଚର ଭୂଚର ଯକ୍ଷ ପିଶାଚ କିନ୍ନର,

ନିଖିଳ ବ୍ରହ୍ମାଣ୍ଡବାସୀ ସର୍ବ ଚରାଚର,

ଦେବତା ଅସୁର ନାଗ ରକ୍ଷ ସିଦ୍ଧ ନର

ଆସ ମୋର ପିତୃ ମାତୃ ମାତାମହଗଣ,

ଘେନ ସର୍ବେ ଏଥି ମୋର ଭକ୍ତି ଆବାହନ ।

ଘେନ ମୋର ଜଳାଞ୍ଜଳି ଘେନ ନମସ୍କାର,

ଦିବ୍ୟ ଅବଧାନେ ସର୍ବେ କର ହେ ବିଚାର ।

ନ୍ୟାୟର ନିର୍ମମ ତୁଳେ ତୁଳି କହ ଫେଡ଼ି,

ଯେ କାରଣେ ଲାଗିଛି ମୋ ହାତେ ଲୁହାବେଡ଼ି,

ଯେ ବ୍ୟାପାରେ ଭୋଗେ ମୁହିଁ ଆଜି କାରାଗାର

କହି ତହିଁ ଅପରାଧ ଯଥାର୍ଥ କାହାର ?

ମୁଁ କି ଏକା ? ଶତ ଶତ ଭାରତ-ସନ୍ତାନ,

ଭୋଗିଛନ୍ତି ଅକାତରେ କାରା ଅପମାନ

ଭୋଗନ୍ତି ଅଦ୍ୟାପି କେତେ ଦାରୁଣ ଯାତନା

ତେଜି ଜୀବନର ସୁଖ ସମ୍ଭୋଗ ବାସନା ।

ଶୋଣିତ-ପିପାସୁ ଘୋର ପାଶବ ସଭ୍ୟତା

ନାଶିବାକୁ ପ୍ରଚାରେ ଯେ ଅହିଂସା ବାରତା;

ଜିଙ୍ଘାସା ବିଷାକ୍ତ ନରେ ଶାନ୍ତି ସୁଧା ପଥ

ଦେଖାଇବା ଜୀବନରେ ଯାର ମୁଖ୍ୟବ୍ରତ,

ଶମ ଦମ ସତ୍ୟ ଶୁଦ୍ଧ ତ୍ୟାଗପୂତ ପ୍ରାଣ

ମାନବ-ଗୌରବ ଗାନ୍ଧି ଭାରତ-ସନ୍ତାନ,

ଦୀର୍ଘକାଳ ଲାଗି ଏବେ ବନ୍ଦୀ କାରଗାରେ,

କାହା ଦୋଷ ଏଥି ? କହ ଉଚିତ ବିଚାରେ ।

ରାଜଭକ୍ତି ଭାରତରେ ଚିର ଶାସ୍ତ୍ରବିଧି,

ନୃପତି ଭାରତ-ନେତ୍ରେ ଦେବ-ପ୍ରତିନିଧି

ତୁଟୁଛି ଭାରତ ଯେବେ ଆଜି ଏ ବିଶ୍ୱାସ,

କୋଟି କୋଟି ପ୍ରାଣେ ଦୀର୍ଘ ନିରାଶା ନିଶ୍ୱାସ,

କାହାର ଏ ଅପରାଧ ? କେ ଏଥିର ହେତୁ ?

ଭାଙ୍ଗିଛି କେ ଶାସନର ସନାତନ ସେତୁ ?

ଯେ ଅମାତ୍ୟସଂସ୍ଥା ନୀତି ଅନିଷ୍ଟର ମୂଳ,

ଯାହାର ପ୍ରଭାବେ ପ୍ରଜା ବ୍ୟଥିତ ବ୍ୟାକୁଳ,

ରକ୍ତ-ମାଂସ ଦେହ ଧରି ଆଉ କେତେ ଦିନ

ଭାରତେ ରହିବ ନର ସେ ନୀତି ଅଧୀନ ?

ଯେ ବିଧାନେ ସର୍ବେସର୍ବା ରାଜପ୍ରେଷ୍ୟଗଣ,

ପ୍ରଜାକୁଳ ସହେ ଯହିଁ ନିତ୍ୟ ନିଷ୍ପେଷଣ ।

ଶାସନ ବୋଇଲେ ଯହିଁ କେବଳ ପ୍ରହାର

ପାଳନର ଅର୍ଥେ ପ୍ରଜା ବୁଝେ କରଭାର,

ସମ୍ପଦ ଶଠତା ଯହିଁ ପାଏ ସମ୍ବର୍ଦ୍ଧନା,

ଦରିଦ୍ର ନୀରିହ ପ୍ରଜା ଭୋଗେ ନିର୍ଯାତନା ।

ମାନବ-କର୍ତ୍ତବ୍ୟ-ଜ୍ଞାନ ଥିବ ଯାର ଲେଶ

ଅନୁଭବେ ଅନ୍ତରେ ଯେ ‘ମୋ ଜାତି ମୋ ଦେଶ’

ଅହିଂସାର ଶାନ୍ତି-ପଥେ ଏଥି ପ୍ରତିବାଦ

କର ଯେବେ ସେହି ତାର କିବା ଅପରାଧ ?

ଏହି ଅପରାଧେ ଗାନ୍ଧି ଏବେ କାରାଗାରେ,

ଏହି ଅପରାଧେ ଦଣ୍ଡ ଘଟିଛି ମୋଠାରେ ।

ଭୋଗୁଛନ୍ତି ଦଣ୍ଡ କେତେ ଗୃହସ୍ଥ ସନ୍ନ୍ୟାସୀ

ଏଥି କାହା ଦୋଷ କହ ତ୍ରିଲୋକ-ନୀବାସୀ ?

ପ୍ରେଷ୍ୟପ୍ରତିଷ୍ଠିତ ହେଲେ ଶାସନପଦ୍ଧତି,

ଲଭେ ପ୍ରଜାକୁଳ ନାନା ବିଷମ ଦୁର୍ଗତି,

ପ୍ରଜାସାଧାରଣ ମତେ ଯେବେ ଉପେକ୍ଷିତ

ଅଶାନ୍ତି ଅନଳ ହୁଏ ହୃଦୟେ ସଞ୍ଚିତ,

ଦମନେ-ପବନେ ଥରେ ଜଳିଗଲେ ପାବକ

ମାନେ ନାହିଁ ବେଡ଼ି ଶୂଳି କୃପାଣ ସାୟକ ।

ଉଠେ ସେ ଦାବାଗ୍ନି କ୍ରମେ ମହାରୁଦ୍ରବେଶେ,

ଭୀଷଣ ବିପ୍ଳବ ବାତ୍ୟା ବହେ ସାରା ଦେଶେ ।

ବରଷେ ଶୋଣିତଧାରା ଭାବେ ରସାତଳ,

ଅବଶେଷେ ପ୍ରଜା ପଦେ ନମେ ରାଜବଳ ।

ମାନବ-ଜଗତେ ଏହି ଗତି ପୁରାତନ,

ଦିଏ ଇତିହାସ ଯାର ଶତ ନିଦର୍ଶନ ।

ନ ଉଠୁ ଏ ଭାରତେ ସେ ହିଂସାନଳ ଶିଖା,

ନ ଆସୁ ରକ୍ତାକ୍ତ ହତ୍ୟା ଭୀମ-ବିଭୀଷିକା ।

ଅହିଂସାର ଆଦି ସ୍ଥାନ ଏ ଋଷି ଆଶ୍ରମ

ଶିଖାଉ ଜଗତେ ପୁଣି ଅହିଂସା ନିୟମ ।

ଏଥିଲାଗି ଗାନ୍ଧି କଳେ ଅହିଂସା ପ୍ରଚାର

ଚଉଦିଗେ ବ୍ୟାପିଲା ସେ ଶୁଭ ସମାଚାର ।

ଅହିଂସାର ମହାମନ୍ତ୍ର କୋଟି ନରନାରୀ

ଜାଗିଲା ଭାରତେ ଗୃହୀ ତ୍ୟାଗୀ ବ୍ରହ୍ମଚାରୀ ।

ପୁରପଲ୍ଲୀ ଗିରି ବନେ ଉଠେ ଶାନ୍ତି ତାନ,

ନବ ଆଶା ନବୋତ୍ସାହେ ଜାଗେ କୋଟି ପ୍ରାଣ

ଅହିଂସା ବ୍ରହ୍ମାସ୍ତ୍ର ଯିବ ପ୍ରେଷ୍ୟବଳ ନାଶ,

ମିଳିବ ସ୍ୱରାଜ୍ୟ-ଦୃଢ଼ ହେଲା ଏ ବିଶ୍ୱାସ ।

ଗାନ୍ଧିଙ୍କର ହେଲା ଏହା ମହା ଅପରାଧ,

ଗଣିଲେ ଅମତ୍ୟଗଣ ଶାସନ-ପ୍ରମାଦ ।

ସାନ ବଡ଼ ଆଉ ଯେତେ ଶାନ୍ତି-ସେନାଗଣ,

ଉଡ଼ାଇଲେ ଗ୍ରାମେ ନଗ୍ରେ ଅହିଂସା-କେତନ

ଶିଖାଇଲେ ବୁଝାଇଲେ ଲୋକେ ଆତ୍ମବଳ,

ପ୍ରେଷ୍ୟଗଣ ନେତ୍ରେ ହେଲେ ସେ ସକଳେ ଖଳ ।

ସେହି ଖଳ ବୋଲି ମୋର ଏବେ କାରାବାସ,

ଏଥିରେ ମୋର କି ଦୋଷ ? କର ହେ ପ୍ରକାଶ ।

ହେ ଦ୍ୟୁଲୋକବାସୀ ଦେବ ପିତୃଋଷିଗଣ,

ସର୍ବଭୂତ ଚରାଚର, ଘେନ ମୋ ତର୍ପଣ ।

ଅପରାଧେ କଳୁଷିତ ଯେବେ ମୋ ଅନ୍ତର,

ସଦୟେ ସୂଚାଇ କହ, ମୁଁ ଅତି କାତର ।

ନାହିଁ ଯେବେ ଦୋଷ ମୋର ବହି ତେବେ ତୁଷ୍ଟି,

ଏ ତର୍ପଣ କାଳେ ମୋତେ ଦିଅ ଦିବ୍ୟ ଦୃଷ୍ଟି ।

ତୁଟୁ ମୋ ମାନବମୋହ, ଘୁଞ୍ଚୁ ମୋ ସଂଶୟ

ତବପୁଣ୍ୟ ଦିବ୍ୟାଲୋକ ଆଲୋକୁ ହୃଦୟ ।

ଏହି ଯେ ଦେଖେଁ ମୁଁ ସର୍ବେ ଅନ୍ତରୀକ୍ଷେ ଠୁଳ,

ଦିଶନ୍ତି ଉଦ୍ବିଗ୍ନ ବ୍ୟସ୍ତ ବ୍ୟଥିତ ବ୍ୟାକୁଳ ।

ଆସି ନାହିଁ କିପାଁ ଏଥି ଆବାହନ ସ୍ଥାନେ,

ଘଟିଛି କି ବ୍ୟତିକ୍ରମ ତର୍ପଣ-ବିଧାନେ ?

କାରାଗରେ କରିବି ମୁଁ କିବା ଆୟୋଜନ ?

ଆନ୍ତରିକ ଶ୍ରଦ୍ଧା ମୋର କର ହେ ଗ୍ରହଣ ।

ପର ଭୂମେ ପିତୃକାର୍ଯ୍ୟ ନୁହେ ସୁବିହିତ,

ଓହ୍ଲାଇବା ପାଇଁ ତେଣୁ ହୁଅ କି ଶଙ୍କିତ ?

ଦେଖି ନିଜ ବଂଶେ ଜାତ ଭାରତ-ନିବାସୀ,

ନିଜ ଦେଶେ ପରଦେଶୀ ସ୍ୱଗୃହେ ପ୍ରବାସୀ ।

ହେ ଭାରତପୂଜ୍ୟ ପୂର୍ବ ପିତୃ-ପିତାମହ,

ଦେଖେଁ ତବ ନେତ୍ରୁ ଅଶ୍ରୁ ବହେ ଅହରହ ।

ପରଶ-ଅଯୋଗ୍ୟ ଜନ ପାଶୁଁ ରହି ଦୂରେ,

ଶୁଦ୍ଧଦେହୀ ନିଏ କିଛି ଯେସନ ଆତୁରେ,

ବଢ଼ାଇ ଅନିଚ୍ଛା ସହ କର ଶଙ୍କୁଚିତେ,

ଦେଖୁଛି ମୋ ତିଳୋଦକ ନେଉଛ କୁଣ୍ଠିତେ ।

ଅସ୍ପୃଶ୍ୟ ମୁଁ ପରାଧୀନ ଏ ଦୁଃଖ ଭାବନା

ଦିଏ ହୃଦେ ଅନୁକ୍ଷଣ ଅସହ୍ୟ ବେଦନା ।

ତବ ଗଢ଼ା ଦେବାଳୟେ ନୁହେଁ ଅଧିକାରୀ,

ତବ ପ୍ରତିଷ୍ଠିତ ରାଜ୍ୟେ ମୁଁ ଦିନ ଭିକାରି ।

ତବ ମର ତନୁ ଯହିଁ ମିଶିଛି ମାଟିରେ,

ପଡ଼ିଅଛି ଅସ୍ଥି ତବ ଯେଉଁ ନଦୀନୀରେ ।

ସେ ପୁଣ୍ୟ ଶ୍ମଶାନ ନୁହେ ମୋର ଅଧିକାରେ,

ଅନାଦୃତ ଶ୍ୱାନ ମୁହିଁ ଭାଗିରଥୀ ତୀରେ

ଜାତି ଧର୍ମ ନିର୍ବିଶେଷେ ଭାରତ ତନୟ,

ଭୋଗନ୍ତି ସରବେ ଏହି ଦଶା ବିପର୍ଯ୍ୟୟ ।

ପିତୃରାଜ୍ୟେ ନାହିଁ ଯାର ପୂର୍ଣ୍ଣ ଅଧିକାର,

ସେ ଅଧମ ସୁତ ଶିରେ ସହସ୍ର ଧିକ୍‍କାର

ସର୍ବସ୍ୱାନ୍ତ ପରାଧୀନ ହୋଇ ପିତୃଗଣ

ଅକିଞ୍ଚନ ଭାବେ ଯେବେ ତେଜନ୍ତି ଜୀବନ ।

ସେହି ଏକା ସୁସନ୍ତାନ କୁଳର ଗୌରବ,

ଆଣେ ଯେ ଫେରାଇ ପୁଣି ଅତୀତ ବିଭବ,

ସେ ଏକା ଦାୟଦ ନାମ କରଇ ସାର୍ଥକ

ଯା ଯୋଗେ ତରନ୍ତି ପିତୃ ଦାସତ୍ଵ ନରକ ।

ଜନନୀ ଓ ଜନ୍ମଭୂମି ସ୍ୱଗୁଁ ଗରୀୟସୀ,

ଗାଇଲେ ଯେ ପୁଣ୍ୟଶ୍ଳୋକ ସୁକବି ମହର୍ଷି ।

ନ ବୁଝେ ମହତ୍ଵ ତାର ତବ କୁଳୋଦ୍ଭବ,

ନ କରେ ସେ ଦେଶପ୍ରେମ ପ୍ରାଣେ ଅନୁଭବ ।

ଥେଥିଲାଗି ମନେ ପରା କରୁଛ ଶୋଚନା,

ଦେଖି ଏ ପବିତ୍ରଭୂମି ଦୁଃସହ ଲାଞ୍ଛନା !

ଶରଣ୍ୟ ବରଣ୍ୟେ ଦେବଋଷି ପିତୃଗଣେ,

ତର୍ପଣ କରେ ଯେ କାରା ଆବଦ୍ଧ ପ୍ରାଙ୍ଗଣେ ।

କଳ୍ପନାର ଦିବ୍ୟ ନେତ୍ରେ ଦେଖେଁ ଯେ ଆକାଶେ,

ତବ ଶୋକୋକୁଳ ଛବି ସୁସ୍ପଷ୍ଟ ପ୍ରକାଶେ ।

କି ଦୁଃଖ ଆବେଗେ ମୋର ବିଦୀର୍ଣ୍ଣ ହୃଦୟ,

ମୁଁ କି ସେ ସ୍ୱାଧୀନ ଆର୍ଯ୍ୟ ମହର୍ଷିତନୟ;

ଯାହାର ସ୍ୱାଧୀନ ଚିନ୍ତା ଦିଗ ଦିଗନ୍ତରେ

ବିସ୍ତାରିଲା ଜ୍ଞାନଲୋକ ଧରଣୀ-ପୃଷ୍ଠରେ ?

ଗଙ୍ଗା ଗୋଦାବରୀ ଆଦି ପବିତ୍ର ସରିତେ,

ଏ କାରା ଉଦକେ ଆଣି କଳ୍ପେ ମୁଁ ଯେ ଚିତ୍ତେ ।

ଅଛି କି ସେ ନଦୀ ନଦେ ସ୍ୱର୍ଗୀୟ କରଣି,

ଅଛି କି ସେଥିରେ ମୋର ସ୍ୱଚ୍ଛନ୍ଦ ସରଣି ?

ବିଶ୍ୱବାସୀ ଚରାଚରେ କରି ଆମନ୍ତ୍ରଣ,

ମୁଁ ଯେ ଏଥି କରେ ଜଳ ଅଞ୍ଜଳି ଅର୍ପଣ ।

ସେ ସାରା ବିଶ୍ୱରେ ମୋରେ ଅଛି କାହିଁ ସ୍ଥାନ ?

ସର୍ବତ୍ର ମୋ ଭାଗ୍ୟେ ଘୋର ପୀଡ଼ା ଅପମାନ ।

ଏ ଦାରୁଣ ଚିନ୍ତାରାଶି ଦିଏ ଯେ ଯନ୍ତ୍ରଣା

ତାହା କି ହେ ସ୍ୱର୍ଗବାସୀ ତୁମ୍ଭଙ୍କୁ ଅଜଣା ?

ଜାଣୁଅଛ ଯେବେ ମୋର ଅନ୍ତର କଷଣ,

ଅନୁଗ୍ରହେ କର ତବ ଆଶିଷ ବର୍ଷଣ ।

ତୁମ୍ଭର ସୁକୃତବଳେ ଏତେକାଳ ଆଜ,

ଭାରତ-ସନ୍ତାନ ହୃଦେ ଅଙ୍କୁରେ ସ୍ୱରାଜ୍ୟ ।

ଆସୁ ସ୍ୱର୍ଗରାଜ୍ୟୁଁ ତବ ପବିତ୍ର ପେରଣା,

ଝରୁ ଶୁଭ ଆଶୀର୍ବାଦ ଅମୃତ-ଝରଣା,

ପଡ଼ୁ ଏ ଭାରତେ-ପ୍ରାଣେ ସ୍ୱର୍ଗୀୟ କିରଣ

ନନ୍ଦନକାନନୁ ବହୁ ସ୍ନିଗ୍ଧ ସମୀରଣ,

ସ୍ୱରାଜ୍ୟ ଅଙ୍କୁର କ୍ରମେ ହେଉ କଳ୍ପତରୁ,

ଭାରତ ଅଭୀଷ୍ଟ ଶାଖା ଫୁଲ ଫଳ ଧରୁ,

ଭାରତ-ପ୍ରଭାବେ ହେଉ ସାର୍ଥ ଋଷିବାଣୀ

ମଧୁମୟ ଭାବେ ମତ୍ତ ହେଉ ବିଶ୍ୱପ୍ରାଣୀ ।

ସର୍ବ ସିନ୍ଧୁ ସ୍ରୋତେ କ୍ଷରୁ ମଧୁମୟ ନୀର

ବହୁ ମଧୁମୟ ଗନ୍ଧ ଶୀତଳ ସମୀର ।

ମଧୁମୟ ରସେ ପୁଷ୍ଟ ହେଉ ବନସ୍ପତି,

ମଧୁମୟେ ରସେ ଶୋଭୁ ସର୍ବ ବସୁମତୀ ।

ହେଉ ମଧୁମୟ ଉଷା ପ୍ରଦୋଷ ରଜନୀ,

ନଭୋଦେଶେ ମଧୁମୟ ରବି ଦିନମଣି ।

ମଧୁମୟ ଋତେ ହେଉ ବିଶ୍ୱ ନିନାଦିତ,

ଉଠୁ ବିଶ୍ୱପ୍ରାଣେ ମଧୁ ଅମୃତ-ସଙ୍ଗୀତ ।

Image

 

ବନ୍ଦୀର ବିରହ-ବ୍ୟଥା

 

ମଧୁର ବସନ୍ତ ସମୟ ଦିନ ହେଲାଣି ଶେଷ,

ଛାଡ଼ି ପୂର୍ବ ଏବେ ତପନ ଯିବେ ପଶ୍ଚିମଦେଶ ।

ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତର,

ନାନାରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର ।

ଦଳେ ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ,

ତରୁ ଗିରି ଛାୟା ବିସ୍ତାରି ପାଦେ କରେ ପ୍ରଣାମ ।

ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମବରଣୀ ପାଟ,

ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ ।

ଅସ୍ତାଚଳ ଉଚ୍ଚ ଆସନେ ବସି ହସନ୍ତି ରବି,

ପ୍ରାଚୀ ଅନୁରାଗେ ରଞ୍ଜିତ ଚାରୁ ବଦନ ଛବି ।

ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗଧ କନକ କର,

କୋମଳ ଆଶ୍ୱାସେ ଦେଖାନ୍ତି ନିଜ ସ୍ନେହ ଆଦର ।

ସମୀରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗିର,

କହନ୍ତି “ଅଚିରେ ଫେରିବି ଧନି ! ନୁହ କାତର ।”

ଅନୁରାଗ ରଙ୍ଗ ପ୍ରକାଶେ କ୍ଷଣେ ପ୍ରାଚୀ-କପୋଳେ,

ତା ମଧ୍ୟରେ କିନ୍ତୁ ବିରହ-ଦୁଃଖ-କାଳିମା ଦୋଳେ ।

ରବି ଲାସ୍ୟହାସ୍ୟେ ପ୍ରକଟେ ଗୁରୁ ବିଷାଦରେଖା,

ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା ।

ଆହା, ପ୍ରିୟଜନ ବିରହ କି ଦାରୁଣ କଷଣ ?

ପ୍ରୀତିପାଶେ ବନ୍ଧା ଜଗତେ ସର୍ବ ଜଡ଼ ଚେତନ ।

ଏ ବିରହ ଦୃଶ୍ୟ ଦିଅଇ ବନ୍ଦୀ ପରାଣେ ବ୍ୟଥା,

ପଲକେ ପଲକେ ପଡ଼ଇ ମନେ କେତେ କି କଥା ।

ସମ୍ଭାଳ ଟିକିଏ ସିପାହି ଚାବି ନ ଦିଅ ଦ୍ୱାରେ,

ପ୍ରଣୟ ପ୍ରଭାବ ଦେଖବି କ୍ଷଣେ ରହି ବାହାରେ ।

ପ୍ରଣୟ-ପୀୟୁଷେ ମିଶିଛି କିପାଁ ବିରହ-ବିଷ,

ବିଶ୍ୱବାସୀ ପ୍ରତି ବିଚିତ୍ର ଏ କି ବିଧି ଆଶିଷ ?

ସୁନ୍ଦର ସରୋଜ ଚରଣେ କିପାଁ ଜଡ଼ିତ ଅହି,

ବିପରୀତ ସ୍ଥିତି ରହସ୍ୟ କିଏ ପାରିବ କହି ?

ପ୍ରିୟଜନ ପ୍ରିୟ ସ୍ଥାନ ମୁଁ ଛାଡ଼ି ବନ୍ଦୀ ଏଠାରେ,

ବିରହ-ବିଷମ ବିଷେ ମୋ ମନ ପରାଣ ଘାରେ ।

ବିଶ୍ୱ ପ୍ରକୃତିରେ ଦେଖିଲେ ସମ ହୃଦ-ବେଦନା,

ତାପିତ ଅନ୍ତରେ ଆସିବ ଅବା କ୍ଷଣେ ସାନ୍ତ୍ୱନା ।

ରହ ଆଉ ଦଣ୍ଡେ ସିପାହି କିପାଁ କର କଟାଳ ?

କକ୍ଷେ ଅବରୋଧ ସମୟ ପରା ଗୋଧୂଳିକାଳ !

ଦେଖ ରତ ରତ ହୁଅଇ ରବି ଏବେ ଗଗନେ,

ଆଉ ଟିକିଏ ମୁଁ ବୁଲିବି ଏଥି କାରା-ପ୍ରାଙ୍ଗଣେ ।

ଯମଦୂତ ହୃଦେ କରୁଣା କାହୁଁ ବସିବ ତିଳେ ?

ଅଧିକ ନ କହି ମର୍ଯ୍ୟାଦା ଜଗି ପଶିବି ବିଳେ ।

Image

 

ବନ୍ଦୀର ସାନ୍ଧ୍ୟ ଭକ୍ତି

 

ସତ୍ୟ ସ୍ୱାଧୀନତା ଲାଗି ଯାର କାରାବାସ,

ତା ଲାଗି ଏ ପୁଣ୍ୟବଳେ କରେଁ ମୁଁ ବିଶ୍ୱାସ ।

ପଶ୍ଚିମ ଭୂଭାଗେ ଆଜି ଯବନ ମହର୍ଷି,

ଶାନ୍ତ ଦାନ୍ତ ମହାଯୋଗୀ ଆଦି ତତ୍ତ୍ୱଦର୍ଶୀ,

ଆତ୍ମାର ଅମର ତତ୍ତ୍ଵ ପ୍ରଚାରି ଲୋକରେ,

ସତ୍ୟସନ୍ଧ ସକ୍ରେଟିସ୍ ଯେବେ ଅକାତରେ,

ପାଷଣ୍ଡ ଶାସନ-ଦଣ୍ଡେ ଦେଖାଇଲେ ଶିର,

ମୁଖେ ଯେବେ ବିଷପାତ୍ର ଲଗାଇଲେ ବୀର ।

ଆଥେନସ ଆକାଶେ ଏହି ଅସ୍ତମିତ ରବି,

ଦେଖାଇଲା ହାସ୍ୟାଭାସେ ନିରାନନ୍ଦ ଛବି ।

ବୁଡ଼ି ନାହିଁ ଏବେ ସୂର୍ଯ୍ୟ, ଆସି ନାହିଁ କାଳ,

ନ ପିଅ ମହର୍ଷି, ଆଉ ମୁହୂର୍ତ୍ତେ ସମ୍ଭାଳ ।

ସବିନୟେ ନିବେଦନ କଲେ ଶିଷ୍ୟଦଳ,

ମମତା ଉପେକ୍ଷି ମୁନି ପିଇଲେ ଗରଳ ।

ଗଲା ସେ ଅମର ଆତ୍ମା ଛାଡ଼ି ମରକାୟା,

ଆଚ୍ଛାଦିଲା ଚଉଦିଗେ ବିଷାଦର ଛାୟା ।

ଜାଣି ନ ଥିଲା ଯେ ହୃଦ ଭୟ ପଳାୟନ,

ମରଣେ ଯେ ଦେଖୁଥିଲା ଅମର ଜୀବନ,

ଚାଲିଗଳା ଚାହୁଁ ଚାହୁଁ ତେଜି ମର୍ତ୍ତ୍ୟବାସ,

ବୀର ଗୁଣଗାଥା ଏବେ ଗାଏ ଇତିହାସ ।

ଦେଖିଛ ତ ସେ ଘଟନା ବୀର ଦିନନାଥ,

ସତ୍ୟ ସ୍ୱାଧୀନତା ପ୍ରତି ଶାସନ ବିତ୍ପାତ ।

ଶାନ୍ତି ସୁଶାସନ ନାମେ ପଶୁ ଅତ୍ୟାଚାର,

ସତ୍ୟ ସ୍ୱାଧୀନତା ଶିରେ ଉତ୍କଟ ପ୍ରହାର ।

କେତେ କାରାଗରେ କେତେ ଘୋର ନିର୍ଯାତନ,

କେତେ ସାଧୁହତ୍ୟା କେତେ ବୀର ନିଷ୍ପେଷଣ ।

କ୍ରୁର କଦର୍ଥନେ କେତେ ହୃଦ ଖଣ୍ଡ ଖଣ୍ଡ,

କେତେ ଦେବଦୂତେ ବୃଥା ଅମାନୁଷ ଦଣ୍ଡ,

ମାନବ ସଭ୍ୟତା ମୁଖେ କଳଙ୍କ କାଳିମା

ଦେଖିଛ ସବିତା, ତାର ନାହିଁ ପରିସୀମା ।

କହ ଦେବ ହେଲା କିବା ପରିଣାମ ତାର,

ଜଗତରେ କାହା କାର୍ଯ୍ୟ ଲଭିଲା ପ୍ରସାର ?

ଉଡ଼ିଅଛି ଅବଶେଷେ ସତ୍ୟର ନିଶାଣ,

ବାଜିଅଛି ସ୍ୱାଧୀନତା ବିଜୟବିଷାଣ ।

ହୋଇଅଛି ରାଜଶକ୍ତି ଲୀନ କାଳଗ୍ରାସେ,

ପାଉଅଛି ଅପଯଶ ଭାବୀ ଇତିହାସେ ।

ଏ ସକଳ ଗ୍ରହରାଜ କରିଛ ସାକ୍ଷାତ,

ଘେନ ଦେବ ମୋର ସାନ୍ଧ୍ୟ ଭକ୍ତି ପ୍ରଣିପାତ ।

ବିଜନ ପ୍ରକୋଷ୍ଠ ଏବେ କରିବି ଆଶ୍ରୟ,

ସ୍ମୃତିରେ ସେବିବି ତହିଁ ବସନ୍ତ-ମଳୟ ।

Image

 

ବନ୍ଦୀର ସ୍ୱଦେଶ ଚିନ୍ତା

 

ବାହାରେ ବହଇ କେଡ଼େ ସୁଶୀତଳ

ମଧୁର ମଳୟ ମୃଦୁ ମରୁତ,

ନବ ମଲ୍ଲୀକଢ଼ି ମୁଡ଼ୁକି ହସଇ

ଭ୍ରମର ଦୋଳାଏ ପ୍ରେମେ ତା ବୃନ୍ତ ।

କବାଟ ଫାଙ୍କରେ ଚାହିଁଲେ ବାଙ୍କରେ

ଥରେ ଥରେ ଆସେ ଚୋରା ପବନ

ସେ କି ଗୁପ୍ତଚର, ବାହାର ଖବର

ଦେଇ ଲୁଚି ଚାଲିଯାଏ ବହନ ।

ସେ ସ୍ନିଗ୍ଧ ପରଶେ ନିମିଷ ସଂଭାଷେ

ତାପିତ ପ୍ରାଣ ମୋ ପୂରେ ପୁଲକେ,

କେତେ ସୁଖସ୍ମୃତି ଜାଗେ ଏ ଅନ୍ତରେ

କେତେ ଚାରୁଚିତ୍ର ନାଚେ ପଲକେ ।

ମନେ ଏବେ ଆସେ ତରୁଣ ବୟସେ

ବୁଲୁଥିଲି ଯେବେ ଭାର୍ଗବୀ ତୀରେ,

ପୁନାଙ୍ଗ ବକୁଳ- ସୌରଭ ସଂକୁଳ

ସୁବାସ ଶୀତ ସଞ୍ଜ ସମୀରେ ।

କ୍ଷୀଣତୋୟା ନୀରେ କେଳେ ଧୀରେ ଧୀରେ

ସୁମଞ୍ଜୁଳା ଲଘୁ ଲହରୀମାଳା,

ଦକ୍ଷିଣ ଦିଗକୁ କୁଞ୍ଚିତ କୁନ୍ତଳ

ମେଲାଇ ଦେଇଛି କି ପଲ୍ଲୀବାଳା ।

ଗ୍ରାମ-ସୀମାନ୍ତିନୀ ଚହଲାଇ ପାଣି

କଳସରେ ଯେବେ ନିଅନ୍ତି ଭରି,

ନୀଳମଣି ଦାମ ପ୍ରାଏ ସେ ଲହରୀ

ଖଣ୍ଡେଦୂର କ୍ଷଣେ ଯାଏ ପ୍ରସରି ।

ଗାଈଆଳ ପିଲା ଗୋଠୁଁ ବାହୁଡ଼ାଇ

ଆଣୁଥାଏ ଗାଈ ବେଣୁ ବଜାଇ,

ହାଟକାମ ସାରି ଫେରନ୍ତି ବେପାରୀ

ଭଞ୍ଜ ଚଉପଦୀ ପଦ ପକାଇ ।

ଯାଗେଶ୍ୱରୀ ପାଶେ ଦୀପ ଦେଇ ବାସେ

ଆସନ୍ତି କୌତୁକେ କୁମାରୀ କୁଳ

କିଏ କରେ କଳି ଆନ ସଙ୍ଗେ ଖେଳି

କିଏ ବା ଗୋଟାଏ ବଉଳଫୁଲ ।

ଯାଉଁଳି କାନ୍ଧରେ କେବେ ବା ବନ୍ଧରେ

ଭଉଣୀ ଆଗରେ ଚାଲଇ ଭାଇ,

ଶାଶୁଘରେ ନିଏ ସନ୍ଧ୍ୟା ଦେଖି କହେ

ଚାଣ୍ଡେ ଗୋଡ଼ କାଢ଼ି ଚାଲିବା ପାଇଁ ।

ନବ ଯଉବନୀ କାଖେ ପିଲା ଘେନି

ଚାଲି ନ ପାରଇ ଜଘନ ଭାରେ;

ତା ଚାହିଁ ଚପଳ ଯୁବା ସଙ୍ଗୀଦଳ

ପରିହାସେ ଏକ ଆନକୁ ଠାରେ ।

କେତେ ଆଡ଼ୁ ଉଡ଼ି ଆସୁଛି ବାଦୁଡ଼ି

ଝୁଲନ୍ତି ପୁନାଙ୍ଗ-ଫଳିତ-ଶାଖେ,

ନଦୀ ଚପେ ଚପେ ପାଦପ ପ୍ରକମ୍ପେ

ଚପଳାଙ୍ଗୀ ଚାହେଁ ଚମକି ପାଖେ ।

କାହିଁ ନଦୀଜଳେ ମିଳି ଟୋକା ଦଳେ

ଗୋଳନ୍ତି ଗୋବର ଦେଖାନ୍ତି ହୁଳା

ମାଛ ଧରିବାର କରନ୍ତି ବିଚାର

ଦେଇ କାନିଖିଅ ବାଲି ଘୁମୁରା ।

ତୀର ସଇକତେ ଆଉ ପିଲା କେତେ

ଖେଳୁଥାନ୍ତି ଉଚ୍ଚେ ଟେକଣି ରାହା,

ଗୁଡ଼ିଆଦାଣ୍ଡରେ କେ କାହାକୁ ମାରେ

କିଏ ହସି ପୁଣି ଦେଖାଏ ବାହା ।

ହଳ ଲେଉଟାଇ ଆସୁଥାଏ ଭୋଇ

ମୁଣ୍ଡେ ଘାସଗୋଛା ହାତେ ପାଞ୍ଚଣ

ବଳଦ ଓଡ଼ାଇ ଦିଏ କେବେ ଗାଇ

“କିପାଁ ଛାଡ଼ିଗଲୁ ତୁ ଲଇକ୍ଷଣ !’’

ବାଟୋଇ ଭିକାରି ବନ୍ଧରୁ ଉତୁରି

ଆଶ୍ରୟ ଆଶାରେ ଗ୍ରାମରେ ପଶେ

ହୁଏ ଯହିଁ ଗୀତ ଉଚ୍ଚେ ଭାଗବତ

ଶୁଣିବାକୁ ତହିଁ ପିଣ୍ଡାରେ ବସେ ।

ପଡ଼ିଯାଏ କ୍ରମେ ଘରକଥା ମନେ

ଅତିଥି ଆଦର ଦେବ ଅର୍ଚ୍ଚନା,

କାରାଗାର କକ୍ଷେ କିପାଁଇଁ ଏ ବକ୍ଷେ

ଆଣିବି ଆଉ ସେ ବୃଥା ଭାବନା ।

ହେ ବସନ୍ତବାତ ମୋ ଦ୍ୱାରେ ଆଘାତ

କର ଭଲା ଆଉ ଥରେ ସଦୟେ,

ଦକ୍ଷିଣ ଦିଗର କହ ସମାଚାର

ସିଞ୍ଚ ଶାନ୍ତି-ସୁଧା କ୍ଷଣେ ହୃଦରେ ।

ମୋର ପ୍ରିୟସ୍ଥଳୀ କେତେ ନିଉଛାଳି

କରିଥିବେ ତବ ଆସିବା ବାଟେ,

ଦେଇଥିବେ ପରା କେତେ କି ବାରତା

ଶୁଣାଅ ମନ ମୋ ଅଛି ଉଚ୍ଚାଟେ ।

କରିଥିବ ଭେଟ ମଞ୍ଜୁଷା-ମୁକୁଟ

ମହେନ୍ଦ୍ର ଶଇଳ ସୁବାସ ଫୁଲ,

ତବ ସମାଗମେ ନାଚିଥିବ ପ୍ରେମେ

ଦୋହଲାଇ ତରୁ ଭୁଜସଂକୁଳ ।

ରସନା ନୟନ ନାସା ରସାୟନ

ସ୍ୱାଦ ଶୋଭା ଗନ୍ଧଭରା ଆଧାର,

ଗଞ୍ଜାମ-ମଣ୍ଡନ ସୁରମ୍ୟ ‘ଉଦ୍ୟାନ’

ଦେଇଥିବେ କେତେ କି ଉପହାର !

ଆମ୍ବ ରମ୍ଭା ବେଲ ଲେମ୍ବୁ ନାରିକେଲ

ପଣସ ସପୁରୀ ଖଜୁରୀ ତାଳ,

ବିଧିରକ୍ଷା ପାଇଁ ଆସିଥିବ ଛୁଇଁ

‘ଉଦ୍ୟାନ’ ର ନାନା ଫଳ ରସାଳ ।

କୃଶୋଦରୀ ଋଷି- କୁଲ୍ୟାକୁ ପରଶି

ଆସିଥିବ ଯେବେ ହେ ପବମାନ !

ତୀରବାସୀଙ୍କର ରାଗିଣୀ ମଧୁର

ଶୁଣିଥିବ ଚମ୍ପୂ ଲଳିତ ଗାନ ।

ଆଲିଙ୍ଗନ ଆଶେ ତବ ପଥପାଶେ

ଚିଲିକା ଆବେଗେ ଥିବ ଅନାଇଁ

ମୁକ୍ତନୀଳକେଶୀ ଶ୍ୟାମଶୋଭାରାଶି-

ଗିରି-ଶୀରି ସ୍ପୀତ ବକ୍ଷ ମେଲାଇ ।

ଚଞ୍ଚଳ ହିଲ୍ଲୋଳେ ଚାରୁ ଗଣ୍ଡସ୍ଥଳେ

ଚୁମ୍ବୁଥିବ ଯେବେ ଗାଢ଼େ ସମୀର,

ସୁନ୍ଦରୀ ସର୍ବାଙ୍ଗେ ଉଠୁଥିବ ରଙ୍ଗେ

ଅପୂର୍ବ ଉଲ୍ଲାସ କମ୍ପାଇ ନୀର ।

ପୁଳିନ କାନନେ ସ୍ନିଗ୍ଧ ସନସନେ

ଖେଳି ଯାଇଥିବ ପ୍ରେମ-ଲହରୀ,

ହଲିଯାଇଥିବ କେତେ କେତେ ନାବ

ଦେଖୁଥିବ ଖଣ୍ଡଦୂରେ ସୋଲରି ।

ମାଛରଙ୍କା ହଂସ ଗଣ୍ଡାଳି ସାରସ

ନାନା ଜାତି ଖଗ ଖଚିତ ମାଳି,

ଚିଲିକା-ବକ୍ଷରେ ଦୋଳିଥିବ ଯଥା

ନୀଳମେଘେ ଧାଡ଼ି ଧାଡ଼ି ବକାଳି ।

ଫେଡ଼ି ମୀନ ନେତ୍ର ଓଲାଟଇ ଗାତ୍ର

ଚାହିଁଲାବେଳକୁ ଚିଲିକା ପୁଣ

ଶୈଳ ପ୍ରତିଘାତେ ଶରମେ ତୁରିତେ

ଚାଲିଲା ବଢ଼ାଇ ଗତି ଦିଗୁଣ ।

ଆସିଥିବ ଉଡ଼ି ଭ୍ରମେ ପଥ ହୁଡ଼ି

ସିନ୍ଧୁ ସଇକତେ ଶ୍ରୀକ୍ଷେତ୍ରଧାମ,

ପୁଣ୍ୟ ନୀଳାଚଳେ ମହୋଦଧି ଜଳେ

ସ୍ନାନେ ହୋଇଥିବ ଶୁଚି ଆରାମ ।

ସଞ୍ଚରି ସ୍ୱଚ୍ଛନ୍ଦେ ଭୃଙ୍ଗ ବାଲିକୁଦେ

ତାଳ ଲଙ୍କାଆମ୍ବ ଛାୟା ପନ୍ତାରେ

ନୀଳାଚଳପତି ପୟେରେ ପ୍ରଣତି

କରିଥିବ ପଶି ଦକ୍ଷିଣ ଦ୍ୱାରେ ।

ଶ୍ରୀପଦ ତୁଳସୀ ଶିରରେ ପରଶି

ଲଭିଥିବ ମହାମୋଦ ଅନ୍ତରେ,

ନୀଳଚକ୍ର ଚୂଳେ ପ୍ରେମ ଭକ୍ତିଭୋଳେ

ଦେଇଥିବ ନେତ ଉଡ଼ାଇ ଥରେ ।

ପୁଣ୍ୟ ଗନ୍ଧବହ, କର ଅନୁଗ୍ରହ

କହ ପ୍ରିୟ ପୁରୀ ସୁସମାଚାର,

କନ୍ଦର-ନିବାସୀ ପ୍ରଭୁ ବ୍ରହ୍ମରାଶି

କରୁଛନ୍ତି ଏବେ କେଉଁ ବିଚାର ?

ଗମ୍ଭୀରାରୁ କିବା ଶ୍ରୀମୁଖ ଆଦେଶ

ପଠାଇଅଛନ୍ତି ଦେବ ମୋ ପାଇଁ

କହ ବେଗେ ବାୟୁ, କ୍ଷୀଣ ହୁଏ ଆୟୁ

ରହିଥିବି କେତେ କାଳ ଅନାଇଁ ?

ନୀଳାଚଳବାସୀ ମୋତେ କି ଆଶ୍ୱାସି

କହିଛନ୍ତି କିଛି ଶୁଭ ବାରତା,

ସାଧାରଣ ସନ୍ଥ ସେବକ ମହନ୍ତ

ପକାନ୍ତି କି କେବେ ସ୍ୱରାଜ୍ୟ କଥା ?

ସାରି ଦରଶନ କ୍ଷେତ୍ର ପ୍ରଦକ୍ଷଣି

କରିଥିବ ପୁଣି ଉତ୍ତରଗତି

ଅଟାକାଇଥିବେ ପଥରେ ଟିକିଏ

ସତ୍ୟବାଦୀ କୁଞ୍ଜେ ତରୁବ୍ରତତୀ ।

ସୁମଧୁର ତାନେ ତବ ଆବାହନେ

ଗାଇଥିବ ପିକ ସ୍ୱାଗତ ଗୀତି

ବକୁଳ ତମାଳ ଦେଇଥିବେ ତାଳ

ପୂରି ଉଠିଥିବ ପରମ ପ୍ରୀତି ।

ଦେଉଳେ ପ୍ରବେଶି ଗୋପେୀନାଥ ବଂଶୀ-

ରନ୍ଧେ ରଚିଥିବି ଅସ୍ଫୁଟ ସ୍ୱନ,

ରାଧିକା ଅଞ୍ଚଳ ଉଡ଼ାଇ ଚଞ୍ଚଳ

କରିଥିବ ଜାଣି ବେନିଙ୍କ ମନ ।

ହସି ଉଠିଥିବେ ଯୁଗଳ ମୂରତି

ଖସି ପଡ଼ଥିବ ଶ୍ରୀଅଙ୍ଗୁ ଫୁଲ,

ନବଘନ ଶିରେ ଆହା କି ରୁଚିରେ

ହଲିଥିବ ବାଙ୍କ ମୟୂରଚୂଳ ।

ବଉଳ ସେବତୀ ମରୁଆ ମାଳତୀ

ଚମ୍ପା ନାଗେଶ୍ୱର ଜାଇ ଦଅଣା,

ଚହଟାଇ ବାସ ତବ ଚଉପାଶ

କରିଥିବେ ଗନ୍ଧବ୍ୟୁହ ରଚନା ।

ବରଜ ବିହାରୀ ଗୋପୀ ମନୋହରୀ

ଗୁପନ୍ତେ କରନ୍ତି ଯହିଁ ବିହାର,

କି ଉପମା ତାରେ ସେହି ସୁଷମାରେ

ସେହି ସ୍ଥାନ ପଟାନ୍ତର ତାହାର ।

ବସନ୍ତ-ମାଧୁରୀ କୁଞ୍ଜେ କୁଞ୍ଜେ ପୂରି

ପଡ଼ୁଥିବ ଯହିଁ ଉଛୁଳି ସତେ,

ଦେବଦତ୍ତ ଧାମ ମୋ ପ୍ରିୟ ଆଶ୍ରମ

ପଡ଼ିଛି କି ତବ ନୟନେ ପଥେ ?

ମୋ ସଖା ସୋଦର ପ୍ରିୟ ପରିକର

ଅନ୍ତେବାସୀ ବନ୍ଧୁ ପଡ଼ୋଶୀଗଣ

ଛନ୍ତି ତ କୁଶଳେ ବିରହ ବିକଳେ

ବିବଶ ବିଶଣ୍ଣ ନୁହେଁ ବଦନ ?

ସତ୍ୟବାଦୀ କୁଞ୍ଜ ଛୁରୀଅନା ପୁଞ୍ଜ

ଜାଣିଥିଲେ ଏଥି ତବ ସଞ୍ଚାର,

ଅବଶ୍ୟ ମୋ ପାଇଁ ଥିବେ ପଠିଆଇ

ମୃଦୁ ମଧୁମୟ ଗନ୍ଧ ସମ୍ଭାର ।

ଗନ୍ଧଭାରେ ଭରା ଆସିଥିବ ପରା

ଧୀରେ ଧୀରେ ସିଧା ଉତ୍ତର ଦିକେ,

ଲଙ୍ଘି ବିଲ ଗ୍ରାମ କଲ କି ବିଶ୍ରାମ

ଲିଙ୍ଗରାଜ ଦେବ ଦେଉଳ ଶିଖେ ।

ସର୍ବଗ୍ରାସୀ କାଳ ପ୍ରାଚୀନ ଉତ୍କଳ

କଳା କଉଶଳ କରେ ଗରାସ,

ବଭୈବ କଙ୍କାଳ ବିଲୋକି ଅନଳ

ପାଇଥିବ ପ୍ରାଣେ ଗଭୀର ପ୍ରାସ ।

କେତେ ଚମତ୍କାର ମନୋଜ୍ଞ ମନ୍ଦିର

ମିଶିଛି ମାଟିରେ ପଡ଼ିଛି ପଦା,

ଖଣ୍ଡ ଖଣ୍ଡ ଶିଳା ଖସି କାହା ଦେହୁଁ

ଉଭା ହୋଇଅଛି ପଥରଗଦା ।

ଶିଳ୍ପ ସିଦ୍ଧି ସୀମା ପାଷାଣ ପ୍ରତିମା

ଭାଙ୍ଗିଅଛି ମୁଖ, ତୁଟିଛି କର,

ପଡ଼ିଅଛି ବାଟେ କିବା ବଣ ପାଟେ

ହୋଇଅଛି କାହିଁ ତୁଠ ପଥର ।

ହଳ ମୁନେ କ୍ଷେତେ ବାହାରନ୍ତି କେତେ

ଖୋଦିତ ଅଖଣ୍ଡ ଅପୂର୍ବ ମୂର୍ତ୍ତି,

ତୁଟି ନାହିଁ ତିଳେ ଲାବଣ୍ୟ ସୁଷମା

ପ୍ରକାଶେ ସର୍ବାଙ୍ଗେ ଜୀବନ୍ତ ସ୍ପୁର୍ତ୍ତି ।

ଲାଗେ ଦକ୍ଷ ଶିଳ୍ପୀ ମନେ କି ବିକଳ୍ପି

ସଦ୍ୟ ଗଢ଼ି ରଖିଗଲା ଗୋପନେ,

କି ଅବା ମେନକା ଚାଲିଗଲା ଏକା

ଶିଶୁ ଶକୁନ୍ତଳା ଫିଙ୍ଗି ବିଜନେ ।

ନୃପତି ନବର- ପତନ ପ୍ରାଚୀର

ସଞ୍ଚାର ଦେଖାଏ ମୃତ୍ତିକା ସ୍ତୂପ ,

ଲତା ଗୁଳ୍ମରାଶି ଗଲାଣି ଗରାସି

କେତେ ସୁଗଠିତ ତଡ଼ାଗ କୂପ ।

ଶକ୍ତି ଛାଡ଼ି ବ୍ୟଙ୍ଗ କେତେ ଶିବଲିଙ୍ଗ

ପଡ଼ିଛନ୍ତି କାହିଁ ତା ପରିଚୟ?

ରହିଛି କେବଳ ଏଶ୍ୱର୍ଯ୍ୟର ଛାୟା

କି ବିଭବ ଆହା କି ବିପର୍ଯ୍ୟୟ !

ବିଧ୍ୱସ୍ତ ଐଶ୍ୱର୍ଯ୍ୟ ମଧ୍ୟେ ଧରି ଧୈର୍ଯ୍ୟ

ଉଭା ଲିଙ୍ଗରାଜ ତୁଙ୍ଗ ମନ୍ଦିର,

ମହା ଶମଶାନେ ଯଥା ବୀରାସନେ

ଯୋଗାରୂଢ଼ କଳ୍ପ ଯୋଗୀ ଶରୀର ।

ଶୈବାଳଆବୃତ ବିବର୍ଣ୍ଣ ବିକୃତ

ଦିଶଇ ବିରାଟ ଉନ୍ନତ କାୟା

ଗମ୍ଭୀର ଉଦାସେ ଚାହେଁ ଚଉପାଶେ

ତୁଟାଇଛି କି ସେ ଏ ଭାବମାୟା ?

ସେ ଗୁରୁ ଉଦାର ପୁରାଣ ସ୍ଥବିର

ସଦାଶିବ କଳ୍ପ ଶିବମନ୍ଦିର,

ବିପୁଳ ଆକୃତି ବିଲୋକି ପ୍ରଣତି

କରିଥିବ ପୂଜା ପାଦେ ସମୀର ।

ବେଶୀ ବେଳ ତହିଁ ନ ଥିବ ତ ରହି

କିଏ ସେ ରହିବ ହୃଦୟ ବହି ?

ସେ ବିଷାଦମୟ ଭଗ୍ନ ଦୃଶ୍ୟଚୟ

ଦେଖି କାହା ଛାତି ପାରିବ ସହି !

ଶମ୍ଭୁ ସୁକଲ୍ୟାଣ ଘେନି ସମୀରଣ

ବହିଥିବ ପୁଣି ଗତି ଉତ୍ତରେ,

ଦିପହଣ୍ଡ ଯାଇ- ଥିବ ବା ନ ଥିବ

ଭେଟିଥିବ ଖଣ୍ଡଗିରି ପଥରେ ।

ଦେଖିନାହିଁ କେତେ ଦିନୁଁ ଖଣ୍ଡିଗିରି

ଇତିହାସ ଯାର ଅଙ୍କେ ଅଙ୍କିତ,

ଅମର ଅକ୍ଷେରେ ନୀରବ-ଗମ୍ଭୀରେ

ଗାଏ ଯେ ଉତ୍କଳ-ଗୌରବ ଗୀତ ।

ପଡ଼େ ଏବେ ମନେ ପ୍ରଥମ ଯୌବନେ

ସୁଷମା ପିପାସା ଭାବ ଉନ୍ମାଦେ,

ଖଣ୍ଡଗିରି ଶିରୀ ଦେଖି ନେତ୍ର ଭରି

ଚିନ୍ତା ନିମଗନେ ବସିଲି ପାଦେ ।

କଳ୍ପନାର ପୋତେ କାଳ ପ୍ରତିସ୍ରୋତେ

ଭାସି ଦେଖିଲି ମୁଁ ଉଜ୍ଜ୍ୱଳ ଛବି,

ଇତିହାସ ଯାର ନ କରେ ପ୍ରଚାର

ଚିନ୍ତି ନାହାନ୍ତି ଯା କାବ୍ୟରେ କବି ।

କାଳର ପ୍ରଭାବେ ଜନ ସ୍ମୃତିପଟୁ

ରୂପରେଖ ଯାର ଲିଭିଛି ଆଜି,

କଳିଙ୍ଗର ସେହି ଅତୀତ ବିଭବ

ଏର ଖାରବେଳ କୀରିତି ରାଜି ।

ବାଜେ ବୀରବାଜା କାହିଁ ରଣସଜ୍ଜା

କାହିଁ ବା ଲାଗିଛି ଗୁପ୍ତ ମନ୍ତ୍ରଣା,

ଦୂରଦେଶୁଁ ଦୂତ ବିଜୟ-ବାରତା

ଘେନିଆସି କରେ ଛାମୁରେ ଜଣା ।

ଶ୍ରମଣ ସନ୍ୟାସୀ ଦଳେ ଦଳେ ବସି

ଚାଲିଅଛି କାହିଁ ତତ୍ତ୍ୱବିଚାର,

ଗମ୍ଭୀର ନିର୍ଘୋଷେ ଲୋକ ଉପଦେଶେ

କାହିଁ ବା ଅହିଂସା ଧର୍ମପ୍ରଚାର ।

ଖଣ୍ଡଗିରି ଅଙ୍ଗେ ଶିଳ୍ପି ଶତ ଶତ

ଖୋଳନ୍ତି ନିଭଅତ ଗୁମ୍ଫା ନିରତେ,

କାହିଁ ଗୁପ୍ତଚର ରାଜ୍ୟ ସମାଚାର

ଏକାନ୍ତେ ଜଣାଏ ନୃପପୁରତେ ।

କଳ୍ପନାର ନେତ୍ରେ ଏହିପରି କେତେ

ଦିଶେ ଚିତ୍ର ଖଣ୍ଡଗିରି ଶରୀରେ,

ବିନଷ୍ଟ ସର୍ବସ୍ୱ ବୃଦ୍ଧ ଖଣ୍ଡଗିରି

ବିବକ୍ତ ପରାଏ ଉଭା ଗମ୍ଭୀରେ ।

ମହାକାଳ ନୀରେ ବୁଦ୍ବୁଦ ପରାଏ

ଯାଇଅଛି ମିଶି କଳିଙ୍ଗ-ଭୂତି

କଳିଙ୍ଗ-ସନ୍ତାନ ଭୁଲିଛନ୍ତି ଏବେ

କଳିଙ୍ଗର ନାମ ଗୌରବ ସ୍ମୃତି ।

ତଥାପି ସେ ଗାଥା ରଖିଅଛି ଗିରି

କାଳ ପରାଭବେ ଦେଖାଇ ହିଆ,

ଅତି ନାରଖାର ରାଣୀହଂସପୁର

ସାକ୍ଷ୍ୟ ଦେବାଲାଗି ଅଦ୍ୟାପି ଠିଆ ।

ଚୂଳୁଁ ମୂଳଯାଏଁ ଶୋଭେ ଶିଳାକାୟେ

ପ୍ରସାଦ ପ୍ରାଙ୍ଗଣ ଗୁମ୍ଫା ଦେଉଳ,

ତରୁଲତା ଦଳ ରୋଧିଛନ୍ତି ପଥ

ନିବସନ୍ତି ଯହିଁ ଶ୍ୱାପଦକୁଳ ।

ପଦପ୍ରାନ୍ତ ବାସୀ ସାଧୁ ଧର୍ମବେଶୀ

କହନ୍ତି ଅଦ୍ଭୁତ ବହୁ କାହାଣୀ

ଦେଖାନ୍ତି ଶ୍ରୋତାଙ୍କୁ ପ୍ରତ୍ୟକ୍ଷ ପ୍ରମାଣ

କେତେ ଜୀର୍ଣ୍ଣସ୍ମୃତି କଠାଉ ଆଣି ।

ତାପସ ସାଧକ ଅଦ୍ୟାପି ଅନେକ

ନିବିଡ଼ ଅନ୍ଧାର ଗୁହା ଗରଭେ,

ଳୁଚି ରହିଛନ୍ତି ଗଭୀର ନିଶୀଥେ

ଶୁଣାଯାଏ ତାଙ୍କ ସଙ୍ଗୀତ ନଭେ ।

ଶୁଣିଛି ମୁଁ ନିଜେ କହନ୍ତି ସେ ତେଜେ

ପଥିକ ବଦନେ ଦେଖି ସଂଶୟ,

ନୁହେଁ ତା ବିଚିତ୍ର ବାହ୍ୟେ ବିଶ୍ୱେ ମାତ୍ର

ପ୍ରତିଫଳେ ନର ନିଜ ହୃଦୟ ।

ଅତିଥି ଆଦରେ ଅତି ଆଗ୍ରହରେ

କରିଥିବ ଖଣ୍ଡଗିରି ବନ୍ଦନ,

ବନ ଉପତ୍ୟକା ଗୁହା ଗର୍ଭେ ଏକା

ସ୍ୱଛନ୍ଦେ ସଞ୍ଚରିଥିବ ପବନ ।

ତବ ଆଗମନ ସନସନ ସ୍ୱନ

ଶୁଣି ଗିରିଗୁମ୍ପା ଦରି-କନ୍ଦର,

ଗାଇଥିବ ଗୀତ ଗୌରବ ସଙ୍ଗୀତ

ତୁମ ସ୍ୱର ସଙ୍ଗେ ମିଳାଇ ସ୍ୱର ।

ପୂର୍ବ ସୁଖସ୍ମୃତି ଦୁଃଖେ ମନେ ଆସେ

ବଢ଼ାଏ ବିଷାଦ ଦିଗୁଣ ପ୍ରାଣେ,

ତଥାପି ଉଷତ ବିଷାଦ ସଙ୍ଗୀତ

ସନ୍ତାପେ ସନ୍ତତ ସାନ୍ତ୍ୱନା ଆଣେ ।

କହ ସମୀରଣ କଲ କି ଦର୍ଶନ

ଶୁଦ୍ଧ ସାଧୁ ଆତ୍ମା ଗୁପ୍ତ ସଞ୍ଚାର,

ଖଣ୍ଡଗିରି ଚୂଳେ ବହଇ ନିରୋଳେ

ଯା ଅମର ସୁଧା ସଙ୍ଗୀତ ଧାର ।

ଏ ମୋ-କାରା ଦ୍ୱାରେ ଲାଗିଯାଅ ବାରେ

ସେ ଦୂର ସଙ୍ଗୀତ ଶୁଭୁ ମୋ କାନେ,

କମ୍ପି ଉଠୁ ମୋର ହୃଦ-ବୀଣା ତାର

ମୋ ଅନ୍ତର ଧ୍ୱନି ମିଶୁ ସେ ତାନେ ।

କି ଦେଖିଲି ଆଉ ହେ ବସନ୍ତ ବାୟୁ

କହ ବେଗେ କର ନାହିଁ ଛଳନା,

ତୁମ୍ଭେ କି ନ ଜାଣ ନିର୍ବାସିତ ପ୍ରାଣ

ସ୍ୱଦେଶ ସନ୍ଦେଶେ ପାଏ ସାନ୍ତ୍ୱନା ।

କଣ୍ଡଗିରି ପରେ ଉନ୍ମୁକ୍ତ ଅମ୍ବରେ

କରିଥିବି ନବଗତି ରଚନା,

ବାଟରେ ଅଟକ କଲା କି କଟକ

ମହାନଦୀ ନୀଳ-ନୀର-ବାସନା ।

ଉଦ୍‍ବେଗ ବାହାନା କରିଥିବ ସିନା

ଉପେକ୍ଷି ନ ଥିବ ତା ସମାଦର,

ଯେ ଯେତେ କର୍ମଠ କରେ କ୍ଷଣେ ମଠ

ପ୍ରେମ ପାଶୁଁ ହେବାବେଳେ ଅନ୍ତର ।

ଫୁଲିଉଠିଥିବ ମହାନଦୀ ବକ୍ଷ

କମ୍ପି ଉଠିଥିବ ଲହରୀହାର,

ପଠା ଖଡ଼ିପନ୍ତି ଥିବେ ମଥା ପୋତି

ମୃଦୁ ହାସେ ଦେଖି ଅଙ୍ଗ ବିକାର ।

ଦେଖିଥିବ ତହିଁ ବାରବାଟି ଦଶା

କ ବେଦନା ଥିବ ମରମେ ବାଧି,

ଉତ୍କଳର ବୀର- ବିହାର ପ୍ରାଙ୍ଗଣ

ଏବେ ସେ ଉତ୍କଳ-ଶୌର୍ଯ୍ୟ ସମାଧି ।

ଥିଲା ଦିନ ଯେବେ ନବତଳ ହର୍ମ

ଯୁଦ୍ଧଯାତ୍ରୀ ରାଜା ମେଲାଣି କାଳେ,

ଆଣି ନଦୀ ନୀର ସିଞ୍ଚିଲା ସମୀର

ସେଦବିନ୍ଦୁସିକ୍ତ ମହିଷୀ ଭାଲେ ।

ସ୍ନେହ-ସୁଧା ବିନ୍ଦୁ ଯେବେ ମୁଖି-ଇନ୍ଦୁ

ମଣ୍ଡିଲା ପ୍ରସରି ନେତ୍ର ଯୁଗଳେ,

ବିଞ୍ଚି ସୁଶୀତଳେ ହରିଲା କୌଶଳେ

ନ ପକାଇ ମୁକ୍ତାଫଳକ ତଳେ ।

ଯେବେ ରଣଜିତି ପୁରେ ଗଜପତି

ବାହୁଡ଼ିଲେ ହେଲା ଜୟ ଘୋଷଣା

ଆଳିଗଣ ମିଳି ଘେନି ଅର୍ଘ୍ୟଥାଳୀ

କଲେ ବନ୍ଦାପନା ବୀରଅଙ୍ଗନା ।

ବାଜିଲା ମହୁରୀ ଶଙ୍ଖ ଭେରି ତୁରି

ଉଡ଼ିଲା ଅମ୍ବରେ ଜୟ କେତନ;

ସେ ବିଜୟ-ଘୋଷ ନେଲ ଦଶଦିଶ

କମ୍ପାଇଲ କେତେ ତୁମ୍ଭେ ପବନ ।

ବନ୍ଦାପନା ଦୀପ ନଚାଇଲ ପୁଣି

ଉଡ଼ାଇଲ ବାମା ମଥା ଓଢ଼ଣା,

ତବ ଧୃଷ୍ଟପଣେ ପୁଲକିତ ପ୍ରାଣେ

ଦେଲେ ବ୍ୟାଜଗାଳି ବରବରଣା ।

ବାରବାଟି ଅଙ୍ଗେ ସେ ସୌଭାଗ୍ୟ ରଙ୍ଗେ

କରିଥିଲ ଅଭିନୟ ପବନ,

ଆଜି ତ ଦେଖିଛ ସେହି ବାରବାଟି

ଦେଖିଲ ସତ୍ୟ କି ଅବା ସ୍ୱପନ !

ନ’ତଳ ପ୍ରାସାଦ ସେ ଶୌର୍ଯ୍ୟ ସମ୍ପଦ

ବିଜୟ-ବାଜଣା ବିଜୟ-ଧ୍ୱଜା,

ବୀର କବିତାର ଶୌର୍ଯ୍ୟ ସମାଦର

ଉତ୍କଳର ବୀର ବିକ୍ରମୀ ପ୍ରଜା ।

ବାରବାଟି ଗଡ଼େ ନେତ୍ରପଥେ ପଡ଼େ

ଏବେ କି ସେ ପୂର୍ବ ଦୃଶ୍ୟପଟଳ,

ପ୍ରତିବିମ୍ବ ଶୋଭେ ପତିନାଦେ କମ୍ପେ

ଆଉ କି ସରିତ ହୃଦ-କମଳ ।

କରପୂର ଉଡ଼ି କନା ଥିଲେ ପଡ଼ି

କନା ରଖିଥାଏ କର୍ପୂର ସ୍ମୃତି;

କନା ଯାଇ ନାଶ ରହିଲେ ପାଉଁଶ

ଧରିବ ତା ଦେଖି କିଏ ସେ ଧୃତି ?

ଉଚ୍ଚ ମାଟିଗଦା ରୁକ୍ଷ ରିକ୍ତ ପଦା

ପ୍ରାଚୀନ ଜାତିର ଶକ୍ତି ଶ୍ମଶାନ,

ନିରେଖି ମଳୟ ସଦୟ ହୃଦୟ

ହୋଇ କରିଥିବ ଶୋକେ ସମ୍ମାନ ।

ସେ ମୃତ୍ତିକା ସ୍ତୂପ ଶିରେ ଶ୍ୟାମଶଷ୍କ

ଚୁମ୍ବିଥିବ ଅଶ୍ରୁପୂର୍ଣ୍ଣ ନୟନେ,

କାଳାଗ୍ରାସ ନାଶ ଉତ୍କଳ ପୌରୁଷ

କଳ୍ପିଥିବ ତହିଁ ଧରା ଶୟନେ ।

ମହତ ନିଧନେ ସେ ମହତ ସ୍ଥାନେ

ପଡ଼ିଥିଲେ କ୍ଷୁଦ୍ର ଧୂଳିକଣିକା,

ଭକତି ଆଦର କରେ ଯେ ତାହାର

ସେ ଦିଏ ମହତ ହୃଦୟ ଶିକ୍ଷା ।

ତହୁଁ ମୁହୂର୍ତ୍ତେକେ ଅନ୍ଧାରୀ ମୁଲକେ

ପଶିଥିବ ଚଉଦିଗେ ସଞ୍ଚରି,

ଦାବାନଳ ସହ ପୁରୁଷ ପ୍ରବାହ

ତାପୁଥିବ ବନ ଶଇଳ ଦରୀ ।

ଯେ ରାଇଜ ପ୍ରଜା ନିତି ବଳିଭୋଜା

ଦେଇ ଅତି ଭୟେ କାଟନ୍ତି ଦିନ,

କଥା କହିବାର ନାହିଁ ଅଧିକାର

ନୁହେଁ ଧନପ୍ରାଣ ନିଜ ଅଧୀନ ।

ଯହିଁ ରାଜବଂଶେ କ୍ଷୀଣ ପୁଣ୍ୟବଶେ

ଦିଶେ ନାହିଁ କାହିଁ ଭାଗ୍ୟ ଲକ୍ଷଣ,

ତଥାପି ପ୍ରପଞ୍ଚ- ମଦେ ମତ୍ତ ସର୍ବେ

ନ ଦେଖନ୍ତି ଥରେ ଫେଡ଼ି ଈକ୍ଷଣ ।

ନିଦାଘେ ଶଇଳେ ଦାବାନଳ ଜଳେ

ପ୍ରଜାପୁରେ ଜଳେ ବରଷ ସାରା,

ଛାଡ଼ି ପଶୁ ବନ ଯାଏ ଆନ ସ୍ଥାନ

ପ୍ରଜା ବାପୁଡ଼ାର କାହିଁ ସେ ଚାରା ।

ପ୍ରସରେ ସ୍ୱଛନ୍ଦେ ଯହିଁ ଗିରିପଦେ

ନିରନ୍ତର ସ୍ୱଚ୍ଛ ନିର୍ଝର ଧାରା,

ଶୁଭ୍ର ତୋୟା ନଦୀ ବହେ ନିରବିଧି

ବନକଣ୍ଠେ ଯଥା ହୀରକହାର ।

ପିକ ଚକ୍ରବାକ ହଂସ କାରଣ୍ଡକ

ଶୁକ ସାରୀ ଯହିଁ ଗାଆନ୍ତି ନିତି

ନାନା ଫଳ ଫୁଲ କାନନ ମଞ୍ଜୁଳ

ଜନମାଏ ପ୍ରାଣେ ପବିତ୍ର ପ୍ରୀତି ।

ଶୁଭ୍ର ଶତଦଳ ସରେ ଢ଼ଳଢ଼ଳ

ମଞ୍ଜୁ ଗୁଞ୍ଜେ ଅଳି ଅସ୍ଫୁଟ ସ୍ୱନେ,

ଯହିଁ କୃଷ୍ଣସାର କରନ୍ତି ବିହାର

ସ୍ୱଚ୍ଛନ୍ଦେ ତଟିନୀ ତୀର କାନନେ ।

ମାଳତୀ ମାଧବୀ ସର୍ବଦା ସାଧବୀ

ଦେବଦାରୁ ଶାଳ ଭୂଜ ଆଶ୍ରୟେ,

ସୁଗୃହିଣୀ ସମ ଦିଅନ୍ତି ଆରାମ

ସ୍ନିଗ୍ଧ ଛାୟାଦାନେ ପାନ୍ଥ ହୃଦୟେ ।

ଶସ୍ୟ ଆଭରଣେ ଯହିଁ ଅନୁକ୍ଷଣେ

ହସେ ସଦା ମହୀ ସ୍ନିଗ୍ଧ ଶ୍ୟାମଳା,

ମାନବ ମାଧୁରୀ ସରଳ ଚାତୁରୀ

ପ୍ରକୃତି ସହଜ ଛାଞ୍ଚରେ ଢ଼ଳା ।

ଶୁଭ ଶୋଭାମୟ କମଳା ଆଳୟ

ପ୍ରକୃତି ପ୍ରକାଶ ଅତି ବିଚିତ୍ର,

ଶାସକ ସ୍ୱଭାବ ବିନା ଯହିଁ ସର୍ବ

ସ୍ୱରଗ ସୁନ୍ଦର ଭାବେ ପବିତ୍ର ।

ବନୁ ବନାନ୍ତରେ କନ୍ଦରୁ କନ୍ଦରେ

ଅବାଧେ ବିହରିଥିବ ସେ ଦେଶେ,

କାହିଁ ଗୁଳଗୁଳି କାହିଁ ବା ଶୀତୁଳି

କାହିଁ ରହିଥିବ ହିଙ୍ଗୁଳା ବେଶେ ।

ପତ୍ର କୁଟା କାଠି ଧୂଳି ନାଲି ମାଟି

ଚକ୍ର ଆବର୍ତ୍ତନେ ଉଡ଼ାଇ ନଭେ,

ଉତ୍ତର ମୁଖରେ ଆପଣା ସୁଖରେ

ଚାହିଁଥିବ କାହିଁ କ୍ରୀଡ଼ାଶରଭେ ।

ଅନ୍ଧାରୀ ମୁଲକ ପ୍ରଜା ସୁଖଦୁଃଖ

କି ଦେଖି ଆସିଛ କହ ପବନ,

ସହି ନାନା ଦଣ୍ଡ ଦିଅନ୍ତି କି ତଣ୍ଡ

ଆସିଅଛି କିବା ନବ ଚେତନା ।

ସହି ଖରା ବର୍ଷା ଦୁଃଖେ ପଡ଼ି ଚଷା

ଆପଣା କ୍ଷେତରେ କରେ ଯେ ଚାଷ

ନୋହି ଭୟଭୀତ ଘେନି ଦାରା ସୁତ

ଖାଏ କି ସ୍ୱଚ୍ଛନ୍ଦେ ଅନ୍ନ ଗରାସ ।

କେହି ରାଜା ଜଣେ ବିଚାରେ କି କ୍ଷଣେ,

“ପରଜାଏ ମୋର ପୁଅ ସମାନ,

ପରଜାଙ୍କ ହିତ ମୋ ଜୀବନ-ବ୍ରତ

ପରାଜ ସୁଖେ ମୋ ସୁଖ ସମ୍ମାନ ।

ବିନା ପ୍ରଜାଶକ୍ତି ରାଜାର କି ଗତି

ରାଜା ପ୍ରଜା ନୁହେ ଶ୍ୟେନ କପୋତ,

ପ୍ରଜା-ଜଳ-ବିନ୍ଦୁ ମିଳି ରାଜ୍ୟ-ସିନ୍ଧୁ

ରାଜା ସେ ସଲିଳେ କେବଳ ସ୍ରୋତ ।”

ସାନ୍ତାଳ ସୁନ୍ଦରୀ ସଙ୍ଗୀତ ଲହରୀ

ଖେଳି ଯାଇଥିବ ପ୍ରବାହେ ତବ,

ବନବାସୀ ପ୍ରିୟ ସ୍ୱଚ୍ଛ ମଧୁମୟ

ଆଘ୍ରାଣ କଳ କି ପୁଷ୍ପ-ଆସବ ?

କହ ଗନ୍ଧବହ, ଅଛି କି ଉତ୍ସାହ

ଗିରି ବନବାସୀ ସକଳ ପ୍ରାଣେ,

ରୁକ୍ଷ ରମ୍ୟ ମୂର୍ତ୍ତି ଉନ୍ମୁକ୍ତ ପ୍ରକୃତି

ସ୍ୱାଧୀନତା ମନ୍ତ୍ର କି କହେ କାନେ ?

ବୀରତ୍ୱ ସାହାସ ସ୍ୱାଧୀନତା ବାସ

ଗିରିଶିଖେ କରିଥିବ ବିହାର,

ଦେଖିଛ କି କାହିଁ ରଖିଛି ଲୁଚାଇ

ସ୍ୱାଧୀନତା-ଶିଖା ଦରୀ-ଅନ୍ଧାର ।

ଅନ୍ଧାରୀ ମୁଲକେ ପଲକେ ପଲକେ

ମେଲିଥିବ ତବ ତରଙ୍ଗମାଳା,

ସେ ତରଙ୍ଗେ ଦୋଳି କୁସୁମ ଅଞ୍ଜଳି

ଢ଼ାଳିଥିବ ସ୍ନେହେ କାନନବାଳା ।

ଭ୍ରମି ବହୁ ଦୂର ବିଷମ ବନ୍ଧୁର

ଫୁଟି ପଡ଼ିଥିବ ପଥ ଶରମେ,

ଦାବାନଳ ତାପ ଅସହ୍ୟ ଅମାପ

ଭେଦିଥିବ ଯେବେ ପୁଣି ମରମେ ।

ଆତୁର ଅଧୀରେ ମହାନଦୀ ନୀରେ

ପଶିଥିବ ଯାଇ ସନ୍ତାପ ନାଶେ,

ଗିରି-ନିତମ୍ବନୀ ତରଙ୍ଗ-ହାସିନୀ

ଅଙ୍ଗ ଫୁଲିଥିବ ନବ ଉଲ୍ଲାସେ ।

କରି ଗତି ବକ୍ର ରଚି ଶତଚକ୍ର

କାହିଁ କେତେ ଗଣ୍ଡେ ଗିରିସଙ୍କଟେ,

ପଶ୍ଚିମ ମୁଖରେ ଯାଇ ଖଣ୍ଡଦୂରେ

ମିଳିଥିବ ‘ହୀରାଖଣ୍ଡ’ ନିକଟେ ।

ମହାନଦୀ ବକ୍ଷେ ଦ୍ୱୀପ ରମଣୀୟ

ସମ୍ବଲପୁରର ସୁଷମା ଖଣି,

ମଣ୍ଡିଥିଲା ଦିନେ ହୀରକ ଯାହାର

ପୁରାତନ ରୋମରାଜ୍ୟେ ବିପଣୀ ।

ସରିଛି ସମ୍ପଦ ଏବେ ହୀରାକୁଦ

ଉପେକ୍ଷିତ ଧନ ହୀନ ସମ୍ମାନ,

ଧୀବର-କୁମାରୀ ଗଣଇ ଲହରୀ

ଗାଏ କେବେ ପଦେ ବିସ୍ମୃତ ଗାନ ।

ନିଭୃତ ବିଜନ ଶ୍ୟାମ ଶୋଭାବନ

ପ୍ରକୃତି ସହଜ ଶୋଭା ପଟଳ,

ସେ କି ମହାନଦୀ- ପୁଣ୍ୟ-ତପ-ବେଦୀ

ଥିବ ବା ନିମିଷେ ତହିଁ ନିଶ୍ଚଳ ।

ଶୀତଳ ଶୀକର ଘେନି ହେ ସମୀର

କଲ କି ସମ୍ବଲପୁରେ ପ୍ରବେଶ ?

ନିଦାଘ-ବ୍ୟାକୁଳ ପୁରବାସୀ-କୁଳ

ହରିଥିବେ ତବ ପରଶେ କ୍ଲେଶ ।

ଅତି ପ୍ରିୟ ମୋର ସେ ସମ୍ବଲପୁର

ଅଛନ୍ତି ତ ତହିଁ ଭଲେ ସକଳ,

କଲା ଭାଷା ରକ୍ଷା ଧରି ସେ ଯେ କକ୍ଷା

ଗାଇବ ସେ ଚିର ଯଶ ଉତ୍କଳ ।

ଚମ୍ପକ ବରଣୀ ଚାରୁ ସୁହାସିନୀ

ଯହିଁ ଗୁଣବତୀ ପୁରଅଙ୍ଗନା,

ସ୍ୱଦେଶୀ ବସନେ ସ୍ୱଦେଶୀ ଭୂଷଣେ

ଦିଶେ ସଦା ତୋରା ପ୍ରୀତି-ପ୍ରସନ୍ନା ।

ମହାନଦୀ ନୀର ଶଇଳ ସମୀର

ସେବନ୍ତି ସ୍ୱଚ୍ଛନ୍ଦେ ତନୟେ ଯାର,

ଅଛି ମୋ ବିଶ୍ୱାସ ହେବ ସେ ଅବଶ୍ୟ

ସ୍ୱାଧୀନତା ରଣେ ଦୃଢ଼ ପ୍ରାକାର ।

ସମ୍ବଲପୁରର ଶୁଭ ସମାଚାର

ସୁଣାଅ ସଦୟେ ସମୀର ବାରେ,

ଉତ୍କଳ-ଜାହ୍ନବୀ ଚାରୁ ମହାନଦୀ

ପୁଣ୍ୟ ଅମ୍ବୁକଣା ଆଣ ମୋ ଦ୍ୱାରେ ।

ତାପିତ ମୋ ହୃଦ ଦିଅ ଶାନ୍ତି ମୁଦ

ଆତ୍ମୀୟ ସ୍ୱଜନ ବାରତା କହି,

ପରିହିତେ ବହ ପୁଣ୍ୟ ଗନ୍ଧବହ

ତେଣୁ ପଥ ଚାହିଁଅଛି ମୁଁ ରହି ।

ମୋ ନେତ୍ର ଆଗରେ ବିହରି ବାହାରେ

ଦୋଳାଉଛ ତରୁ ଶାଖା ପଲ୍ଲବ,

କେଉଁ ଅପରାଧେ ଦୋଷୀ ତବ ପାଦେ

ନ କର ମୋ ଠାରେ କରୁଣା ଲବ ।

ବନ୍ଦୀ ବୋଲି ମତେ କିବା ଘୃଣା-ନେତ୍ରେ

ଦେଖ କି ହେ ତେଣୁ ପାଶେ ନ ଆସ,

ଭେଦଜ୍ଞାନ ତବ ଲାଗେ ଅସମ୍ଭବ

ତୁମ୍ଭେ ଚରାଚର ବିଶ୍ୱ-ନିଶ୍ୱାସ ।

ସମାଜ ନିଷ୍ଠୁର କରେ ଯାକୁ ଦୂର

ସେ ନୁହେଁ ପ୍ରକୃତି ପ୍ରେମୁ ବାହାର,

ଗଗନେ ପବନେ ଚନ୍ଦ୍ରମା ତପନେ

ଜଳେ ଫଳେ ଫୁଲେ ତା ଅଧିକାର ।

ନରପ୍ରତି ନର କରେ ଅବିଚାର

ପ୍ରକୃତି ସକଳେ ଦେଖେ ସମାନ,

ହେ ମଳୟାନିଳ ସୁଗନ୍ଧ ଶୀତଳ

ପ୍ରବାହେ ପରଶ ମୋ ଦଗ୍ଧ ପ୍ରାଣ ।

କରୁଛି କୀର୍ତ୍ତନ ସଦା ତବ ଗୁଣ

ନିଖିଳ ଜଗତ ଜୀବ-ଜୀବନ,

ଅବହେଳେ ବେଳେ ଏଥି କାରାବିଳେ

ଛୁଇଁଯାଅ ମତେ ମୁକ୍ତ ପବନ ।

ଆସିଅଛ ଭ୍ରମି କେତେ ପୁଣ୍ୟଧାମେ

ଲଗାଇ ଦିଅ ମୋ ଶିରେ ପ୍ରସାଦ,

ସେ ପୁଣ୍ୟ ପରଶେ ଘୁଞ୍ଚୁ ଅବସାଦ

ଅପସରୁ ହୃଦୁଁ ମୋହ ପ୍ରମାଦ ।

Image

 

ବନ୍ଦୀର ସନ୍ଧ୍ୟା-ଭାବନା

 

ଗୋଧୂଳି ଗଗନେ ଏବେ

 

ପ୍ରଦୋଷ ପ୍ରଥମ ତାରା

 

ଉଇଁ ପ୍ରାଚୀଦିଗ ଭାଲେ

 

ଢ଼ାଳେ କ୍ଷୀଣ ଜ୍ୟୋତିଧାରା

ଅନାଏ ସେ ମିଟି ମିଟି

 

କେତେ ଦୂରୁଁ କାରାଦ୍ୱାରେ

 

ଲାଗେ କାନ୍ଥ ଆର ପାଖେ

 

ଲୁଚି ଯଥା ଉଙ୍କି ମାରେ

ତାର ସଙ୍ଗେ ମନେ ମୋର

 

ଫୁଟେ କେତେ ଦୃଶ୍ୟରାଶି

 

ଫେନିଳ ତରଙ୍ଗ କେତେ

 

ନୀଳାର୍ଣ୍ଣବେ ଉଠେ ଭାସି

ଏକ ପରେ ଆନ ଆସେ

 

ଲାଗିଛି ଅନନ୍ତ ଖେଳା

 

ଅବିରତ ପିଟେ ମଥା

 

ସହେ ତାରକିତ ବେଳା

ସୁନୀଳ ବିତାନ ଦିଶେ

 

ଚକ୍ରବାଳ ମୂଳଯାଏ

 

ଶ୍ୟାମଳ ପାଦପପନ୍ତି

 

ତୀରେ ଦୂରେ ଶୋଭାପାଏ

ପଢ଼ଉରେ ମାଛ ଘେନି

 

ନୋଳିଆ ଲେଉଟି ଆସେ

 

କୂଳେ ତା ପିଲାଏ ଚାହିଁ

 

ଗୀତ ଗା’ନ୍ତି ଅଟ୍ଟହାସେ

ପାଣିକି ଡିଅଁନ୍ତି କେତେ

 

ଭାଙ୍ଗିବେ ଲହଡ଼ି ସାତ

 

ପାଛୋଟି ଆଣିବେ କୂଳେ

 

ଧରି ଯେଝା ବାପ ହାତ

ଧାଡ଼ି ଧାଡ଼ି କେତେ ପକ୍ଷୀ

 

ସମୁଦ୍ର ଉପରେ ନଭେ

 

ନିଜନିଜ ବସାମୁଖେ

 

ଉଡ଼ିଯାନ୍ତି କଳରବେ

ଦଳ ଛାଡ଼ି ଏ ପକ୍ଷୀଟି

 

ଥିଲା ପରା ପଥ ହୁଡ଼ି

 

ବସା ଖୋଜି କେଡ଼େ ବେଗେ

 

ଏକାକି ଯାଉଛି ଉଡ଼ି

ହେବ ପରା ଏହା ବସା

 

କିନ୍ନରୀ ପାହାଡ଼ ଚୂଳେ

 

ବିତାଇବ ତହିଁ ରାତି

 

ସ୍ୱଚ୍ଛନ୍ଦେ ଶାବକ ତୁଲେ

ଛାଡ଼ି ଗୁପ୍ତ ବୃନ୍ଦାବନ

 

ବଉଳ ତମାଳ ଡାଳ

 

ଯିବେଣି ଚଢ଼େଇ ପାରି

 

ଉଡ଼ି ପକ୍ଷୀ ମାଳ ମାଳ

ଗୁପ୍ତ ବୃନ୍ଦାବନ କୁଞ୍ଜେ

 

ଥିବ ନାହିଁ କୋହାହଳ

 

ସ୍ନିଗ୍ଧ ମରମରେ ଝଡ଼ି

 

ପଡ଼ୁଥିବ ଫୁଲଦଳ

କିନ୍ନରୀ ଶଇଳ ଶିରେ

 

ଦିଶେ ଦାବାନଳ ତେଜ

 

ଆଣଇ ସେ ମନେ ମୋର

 

ବରୁଣୀ ପାହାଡ଼ ହେଜ

ବରୁଣୀ ଜଙ୍ଗଲେ ଏବେ

 

ଲାଗିବଣି ଦାବାନଳ

 

ଜଳୁଥିବ ଦାଉ ଦାଉ

 

ଶୁଷ୍କ ତରୁ ଶାଖାଦଳ

ଶୁଖିଲା ବାଉଁଶ ଗଣ୍ଠି

 

ଫୁଟୁଥିବ ଘନ ଘନ

 

ହେଙ୍ଗୁଳା ପବନ ବେଗେ

 

ବହୁଥିବ ସନ ସନ

ସିନ୍ଦୂରବରଣ ଶିଖା

 

ରକ୍ତ ଜିଭ ଲହ ଲହ

 

ପୁରୁଷ ପବନ ଘାତେ

 

ଉଠୁଥିବ ଶହ ଶହ

ଲକ୍ଷ ଲକ୍ଷ ଅଗ୍ନିକଣା

 

ନଭେ ଯାଉଥିବ ଉଡ଼ି

 

କେତେ ଗଛୁ ଶୁଷ୍କ ଶାଖା

 

ଜଳି ପଡ଼ୁଥିବ ଛିଡ଼ି

ନିଦାରୁଣେ ଦିବାଲୋକେ

 

ତୋଫା ଦିଶୁଥିବ ବଣ

 

ଚକମକେ ଛଳୁଥିବ

 

ଦେବୀପାଦ ପ୍ରସ୍ରବଣ

ଶୁଖିଲା ପତର ଘାସ

 

ଧାସେ ଜଳୁଥିବ ତଳେ

 

କାତରେ ଫଳାଉଥିବେ

 

ମୃଗ ଶଶା ଦଳେ ଦଳେ

ଦମ୍ ମାରୁଥିବେ ଯାଇ

 

ଗିରି ପଦୁଁ ଖଣ୍ଡ ଦୂରେ

 

ସମତଳ ଭୂମିପରେ

 

ନଷ୍ଟ ରାଣୀହଂସପୁରେ

ପୁରୁଣା ନଅର ଆହା

 

ସ୍ୱାଧୀନତା ଶେଷବତୀ

 

ନିଷ୍ପ୍ରଭ ଉତ୍କଳେ ଯହିଁ

 

ଜୁଳୁଥିଲା କ୍ଷିଣେ ଅତି,

ଲିଭିଯାଇଛି ସେ ଦୀପ

 

ଅନ୍ଧାର କରିଛି ଗ୍ରାସ

 

ଭିଟାରେ ଉଠିଛି ଏବେ

 

ବଣବୁଦା ଗଛ ଘାସ

ସେ ଅମା-ଅନ୍ଧାର କଥା

 

ଏ ଅନ୍ଧାର କାରାଗାରେ

 

କିଁପା ଭାବେ ? ଡୁବେ ପ୍ରାଣ

 

ଦୁଃଖ ଶୋକ ଅକୂପାରେ

ଲିଭିଗଲେ ଏକାବେଳେ

 

ମହତ୍ତ୍ଵର ଖୀଣ ଛାୟା

 

ଦେଖି କିଏ ସମ୍ଭାଳିବ

 

ଧରି ରକ୍ତ ମାଂସ କାୟା ?

 

ଜୟୀ ରାଜଗୁରୁ ଆତ୍ମା

 

ପକାଇ ସୁଦୀର୍ଘ ଶ୍ୱାସ

 

ବୁଲୁଥିବ ଏବେ ଏକା

 

ପୁଷ୍କରିଣୀ ଚଉପାଶ

ନିରାଶା ବିଷାଦଗୀତି

 

ଗାଉଥିବ କ୍ଷୀଣ ନାଦେ

 

କି ଅବା ନିରେଖି ଶୂନ୍ୟେ

 

ବସିଥିବ ଅବସାଦେ

ଗୁମୁଟିରେ କାରା ଘଣ୍ଟା

 

ବାଜେ ଠଣ୍ ଠଣ୍ ଠଣ୍

 

ଯେ ଯାହା ପଞ୍ଜରେ ବନ୍ଦ

 

ହେଲେ ସର୍ବେ ବନ୍ଦୀଗଣ

ପ୍ରତି ଖୁଆଡ଼ର ସଂଖ୍ୟା

 

ଡାକେ ଉଚ୍ଚେ ଜଗୁଆଳି

 

ଲାଗିବ ଏ ରାତିଯାକ

 

ସଂଖ୍ୟା ସଂକୀର୍ତ୍ତନ ପାଳି

ବାଜିବଣି ନୀଳାଚଳେ

 

କେତେ ଘଣ୍ଟା ଭେରି ତୁରି

 

ଏ ସନ୍ଧ୍ୟା ଆରତୀ ବେଳେ

 

ବେଢ଼ା ଉଠୁଥିବ ପୂରି

କେହି କରୁଥିବେ ଜପ

 

ପଢ଼ୁଥିବେ କେହି ସ୍ତୁତି

 

କାହିଁ ନାମ ସଂକୀର୍ତ୍ତନ

 

ଲାଗିଥିବ ଦିବ୍ୟସ୍ଫୂର୍ତ୍ତି

ଉତ୍କଳର ପଲ୍ଲୀ ଗ୍ରାମେ

 

ଏବେ ଭାଗବତ ଘରେ

 

ଭାଗବତ ପଦ ଦୁଆ

 

ଉଠିବଣି ଉଚ୍ଚସ୍ୱରେ

ଏ ବିଜନ ବିଳେ କିମ୍ବା

 

କରୁଛି ମୁଁ ସେ ଭାବନା

 

ଏକାନ୍ତେ ମୁହୁର୍ତ୍ତେ ବସି

 

କରେ ହେଲେ ଉପାସନା

ପୂରି ରହିଛନ୍ତି ପ୍ରଭୁ

 

ସର୍ବ ଭୂତେ ସର୍ବ ସ୍ଥାନେ

 

ପାଇବି ପରାଣେ ଶାନ୍ତି

 

ତାଙ୍କ ପାଦପଦ୍ମ ଧ୍ୟାନେ

ବଜାଇବି ହୃଦେ ଘଣ୍ଟା

 

ଅନ୍ତରେ ପ୍ରଦୀପ ଜାଳି

 

ଆରତି ରଚିବି ଏଥି

 

ପଦେ ପ୍ରେମ ପୁଷ୍ପ ଢ଼ାଳି

ଜୀବନ ନିବିଡ଼ ତମେ

 

ସେହି ମୋର ଧ୍ରୁବତାରା

 

ତାଙ୍କ ବଳେ ତୀର୍ଥ ମୋର

 

ବିଷମ ଦୁଃସହ କାରା

ସେ ସଖା ସୋଦର ସ୍ୱାମୀ

 

ଅଛନ୍ତି ସଦା ମୋ ସାଥି

 

ତାଙ୍କରି ଆଶ୍ରୟେ ଏବେ

 

ପୁହାଇବି ଆଜି ରାତି

Image

 

କାରାରେ ଜଣେ ବନ୍ଧୁଙ୍କ ବିୟୋଗବାର୍ତ୍ତା ଶୁଣିବା ପରେ

 

ତରୁଣ ବୟସେ ଯେବେ ବସି ତବ ପାଶେ

 

ଲଭିଥିଲି ଜ୍ଞାନଲୋକ ପ୍ରଥମ ସଞ୍ଚାର,

 

ସେହି ଦିନୁ ଏ ଯାଏ ସବୁ ସ୍ମୃତି ମନେ ଆସେ

 

ଶୁଣି ଆଜି ତବ ମୃତ୍ୟୁ ଶୋକ-ସମାଚାର

।୧।

ଭାଗ୍ୟ ହେଲା ନାହିଁ ତବ ରୁଚି ଅନୁକୂଳ

 

ଜାଣେ ମୁଁ କାଟିଛ କାଳ ଚିର ହାହାକାରେ

 

ଜୀବନର କର୍ମକ୍ଷେତ୍ରେ ସତତ ବ୍ୟାକୁଳ,

 

ପାଇ ନାହିଁ ସୁଖଶାନ୍ତି କ୍ଷଣେ ପରିବାରେ

।୨।

ଦେଖିଛି ଅନ୍ତରେ ତବ ଥିଲା ଅଗ୍ନିକଣା,

 

ଜଳିଥାନ୍ତା ଲାଗିଥିଲେ ଯଥାକାଳେ ବାୟୁ,

 

କୁହୁଳି କୁହୁଳି ତାହା ଲିଭିଲା ଅଜଣା

 

ନିରାଶାର ଉଷ୍ଣଶ୍ୱାସେ ତରଳିଲା ଆୟୁ

।୩।

କିପାଇଁ ପ୍ରଗାଢ଼ ସ୍ନେହ ଆଦର ବିଶ୍ୱାସ

 

ପୋଷିଥିଲ ନିରନ୍ତର ଅନ୍ତରେ ମୋ ପ୍ରତି,

 

ଅନ୍ତିମ ମୁହୁର୍ତ୍ତେ ମୋ ଦୂର କାରାବାସ

 

ସୁମରି ମରମେ ବ୍ୟଥା ପାଇଥିବ ଅତି

।୪।

ହେଲା ମୋର କାରଦଣ୍ଡ ଯେବେ ପଡ଼େ ମନେ

 

ଛିଡ଼ା ହୋଇଥିଲ ଆସି ଦରବାର ଦ୍ୱାରେ,

 

ଢଳଢଳ କରି ସ୍ନେହ ଲୋତକ ନୟନେ

 

ରୁଦ୍ଧକଣ୍ଠେ ଆଶିଷିଲ ମୋର ନମସ୍କାରେ

।୫।

ଫେରି ଏଥୁଁ କରିଥାନ୍ତି ପୁଣି ନମସ୍କାର

 

କହିଥାନ୍ତି ଫେଡ଼ି ମୋର କାରା ଅନୁଭବ,

 

କ୍ରୂର କାଳ ଲଗାଇଲା କ୍ଷତେ ମୋର ଖାର

 

ଘଟାଇଲା ଏ ଦାରୁଣ ଶୋକ ଅଭିନବ

।୬।

ଆସୁ ଆସୁ ଆସିପାରେ ଯେତେ ଯେତେ ଦୁଃଖ

 

କରିଛି ଏ ଛାତିକି ମୁଁ ପାଷାଣୁଁ କଠିନ,

 

ଆତ୍ମୀୟସ୍ୱଜନ ଆଡ଼ୁ ଫେରାଇଣ ମୁଖ

 

ଅନ୍ଧକାର କାରାକକ୍ଷେ ପଶିଲି ଯେ ଦିନ

।୭।

ମୋ କାର୍ଯେ ମମତା ସଦା ଥିଲା ତବ ପ୍ରାଣେ

 

ମୋ ବିପଦେ ଭୋଗୁଥିଲ ସ୍ୱଜନ-ବେଦନା,

 

ନ ଗଲି ଶ୍ମଶାନ ଯାଏ ଅନ୍ତିମ ପ୍ରୟାଣେ

 

ଚିରଦିନ ରହିଲା ଏ ଗଭୀର ଶୋଚନା

।୮।

ରହିଚି ଏପରି କେତେ ଶୋଚନା ସଞ୍ଚିତ

 

ଶୈଶବୁଁ ବିୟୋଗ ଦୁଃଖେ ଗଢ଼ା ଏ ଜୀବନ,

 

ଜାଗିଲେ ସେ ସ୍ମୃତି ଚିତ୍ତ ହୁଏ ବିଚଳିତ

 

ଭାସେ ଆଖି ଅଶ୍ରୁନୀରେ ଅଙ୍ଗ ଅବସନ୍ନ

।୯।

ଦେଖି ନାହିଁ ମାତୃମୁଖ ଅଜ୍ଞାନ ଶୈଶବେ

 

ପିତା ପୁତ୍ର ପତ୍ନୀ ବନ୍ଧୁ ବିୟୋଗ ବିତ୍ପାତ;

 

ବାର ବାର ତଡ଼ିନେଇ ଶୋକ-ମହାର୍ଣ୍ଣବେ

 

ବୁଡ଼ାଇ ଦେଇଛି ବୁକେ ତୀବ୍ର କଷାଘାତ

।୧୦।

ବିରହ ବିଷାଦ ବିଷେ ରସାଣିତ ଧାର

 

କ୍ରୂର କାଳ ବାର ବାର ତୀକ୍ଷ୍ଣ କରବାଳେ,

 

କରିଛି ଏ ବକ୍ଷେ ମୋର ଦାରୁଣ ପ୍ରହାର

 

କୁଞ୍ଚିତ ଚିରାଳ ଛାପ ମାରିଛି ମୋ ଭାଲେ

।୧୧।

ଅଳପ ବୟସେ ମୋର ବହୁ ଅନୁଭବ

 

ହୃଦ ନିଷ୍ପେଷିତ ମୋର ବିରହ କଷଣେ,

 

ତୁଟିଛି ମୋ କଳ୍ପନାର ବିଳାସ ବୈଭବ

 

ଦେଖେ ମୁଁ ଜୀବନଗତି ବାସ୍ତବ-ନୟନେ

।୧୨।

ତୃଣ ବେନି ଯଥା ମହାସାଗର ତରଙ୍ଗେ

 

ଭାସିଆସି କ୍ଷଣେ ମିଳି ହୁଏ ଅନ୍ତରିତ

 

ପିତା ପୁତ୍ର ପତି ପତ୍ନୀ ମିଳି ଏକ ସଙ୍ଗେ

 

କାଳ-ସ୍ରୋତେ କାହିଁ ପୁଣି ଚଳନ୍ତି ତ୍ୱରିତ !

।୧୩।

ଏହି କି ପ୍ରଣୟ ଗତି, ଏହି ପରିଣାମ ?

 

ଅପାର ଜୀବନ-ସ୍ରୋତେ ମୁହୂର୍ତ୍ତ ମିଳନ?

 

ଭେଟ ସ୍ଥାନ ଏକମାତ୍ର କ୍ଷୁଦ୍ର ଧରାଧାମ ?

 

ତେବେ କିପାଁ ଏ ମମତା, ଏତେ ଆୟୋଜନ ?

।୧୪।

ବେନି ତୃଣ ବାରେ ଯେବେ ଭେଟି ପରସ୍ପରେ

 

ଅନନ୍ତ ଭ୍ରମଣେ ପଥେ କରନ୍ତି ଗମନ,

 

କେ ଜାଣେ ନ ହେବ ବାଲି ଭେଟ ଆଉ ଥରେ

 

ତୁଟେ ନାହିଁ କିପାଁ ସ୍ମୃତି ମମତା ବନ୍ଧନ

।୧୫।

ଚିତାନଳେ ଭଷ୍ମ ନୁହେ ସେନେହ ବନ୍ଧନ

 

ଶଶ୍ମାନ ନୁହେ ଏ ଜୀବ ଶେଷ ପରିସୀମା,

 

କେବେ କାହିଁ ହେବ ନିଶ୍ଚେ ଶୁଭ ସମ୍ମିଳନ

 

ପ୍ରକାଶିବ ପ୍ରାଣେ ପୂର୍ଣ୍ଣ ପୁଣ୍ୟ-ମାଧୁରିମା

।୧୬।

ସୁଖ ଦୁଃଖ ତେଣୁ ମୋର ସମ ସହଚର

 

ଜନମେ ମରଣେ ନାହିଁ ହରଷ ବିଷାଦ,

 

ଆହ୍ଲାଦେ ଆପଦେ ମୋର ସମାନ ଆଦର

 

ସବୁ ଶୁଭ ବିଧାତାଙ୍କ ଶୁଭ ଆଶୀର୍ବାଦ

।୧୭।

ଏ ବିଶ୍ୱାସେ କାରା ମୋର ପୁଣ୍ୟ ତପୋବନ

 

ଆତ୍ମୀ ବିୟୋଗ ଆଣେ ଅପୂର୍ବ ଉନ୍ମେଷ,

 

କ୍ରମେ ଯେ ନିକଟେ ମୋର ଆସୁଛି ମରଣ

 

ରହିଅଛି ବହୁ କାର୍ଯ୍ୟ ଏବେ ଅବଶେଷ

।୧୮।

ଗୋପବନ୍ଧୁଙ୍କ ଶିକ୍ଷାଗୁରୁ ପୁରୀବାସୀ ସ୍ୱର୍ଗୀୟ

 

ଦିବ୍ରସିଂହ ମିଶ୍ରଙ୍କ ପରଲୋକ ସଂକ୍ରାନ୍ତରେ ଲିଖିତ ।

 

ଦିବ୍ୟସିଂହ ମିଶ୍ର ବି.ଏ. ପାସ୍ କରି ପୁରୀ ଜିଲ୍ଲା

 

ସ୍କୁଲରେ ସହକାରୀ ଶିକ୍ଷକ ଥିଲେ

।୧୯।

Image

 

ଦେଖାଦିଅ ବାରେ

 

ଦଶଦିଗ ମୋତେ ଦିଶେ ଅନ୍ଧକାର

 

ଲାଗେ ଏ ଜୀବନ ଅତି ଗୁରୁଭାର

 

ନିରାଶ ନିଶ୍ୱାସ ବହେ ଅଣଚାଶ

 

କରିବି କି ପ୍ରତିକାର

।୧।

କାହିଁ ମୋର ସେହି ପ୍ରାଣ ପ୍ରେମଧାର

 

କାହିଁ ମୋର ସୁଧାମୟ ହୃଦହାର

 

ଦିଅ ଦେଖା ବାରେ ଏ ଘୋର ଅନ୍ଧାରେ

 

ଦେଖ ମୁଁ କି ନାରଖାର !

।୨।

ଚଳାଅ ମୋ ଅଙ୍ଗେ ଅମିୟ ଅଙ୍ଗୁଳି

 

ଦିଅ ଶିରେ ମୋର ପୁଣ୍ୟ ପଦଧୂଳି

 

ବଜାଅ ସେ ବୀଣା ମୃତ୍ୟୁ-ଭୟଜିଣା

 

ଉଠୁ ମୋ ପ୍ରାଣ ଉଛୁଳି

।୩।

ବୁଡ଼ି ନାହିଁ ପୂରା ଏବେ ମୋ ଚେତନା

 

ଲୋଡ଼େ ଏ ପରାଣ ସେନେହ ସାନ୍ତ୍ୱନା

 

ଅଳପ ଅପାଙ୍ଗେ ଅନାଅ ଏ ଅଙ୍ଗେ

 

ଆସୁ ଆଶା ଆଶ୍ୱସନା

।୪।

ମଧୁର ମୁରଲୀ ବିମୋହନ ତାନ

 

ଶୁଣାଅ, ପୁଲକି ଉଂଇବ ପରାଣ,

 

ଆଶୁ ଉପଚାର କରହେ ବିଚାର

 

ଥାଉଁ ଥାଉଁ ମୋର ଜ୍ଞାନ

।୫।

ଉଠୁପଛେ ତାନେ ଦୁଃଖମୟ ଗୀତି

 

ଦୁଃଖଗଢ଼ା ପ୍ରାଣ ପାଉ ଦୁଃଖେ ପ୍ରୀତି

 

ଦୁଃଖେ ସୁଖେ ମୋର ସମାନ ଆଦର

 

ବାଅ, ବେଳ ଯାଏ ବିତି

।୬।

Image

 

ପ୍ରେମର କି ଏହି ପରିଣାମ ?

 

ତରଳ ତାରୁଣ୍ୟେ ବେନି ହୃଦ ଢଳଢଳ

 

ମିଶିଲା ସହଜ ଯଥା ଜଳ ସଙ୍ଗେ ଜଳ

କୋମଳ କୈଶୋରେ ପ୍ରୀତି ହେଲା ଗାଢ଼ତର

 

ସହେ ନାହିଁ ପ୍ରାଣ, ହେଲେ ମୁହୂର୍ତ୍ତେ ଅନ୍ତର

ଆହାର ଭୋଜନ ନିଦ୍ରା ସ୍ନାହାନ ଆଳାପ

 

ଗାନ ଧ୍ୟାନ ଅଧ୍ୟୟନ ସୁହା ସ ବିଳାପ

ଜୀବନର ପ୍ରତି କାର୍ଯ୍ୟେ ଯଥା ଏକ କଳେ

 

ଅନୁକ୍ଷଣେ ଏକ ଭାବେ ବେନୁ ତନୁ ଚଳେ

ଏ ହୃଦେ ଲାଗେ ଯେବେ ଦୁଃଖ ଦାଉ ଘାତ

 

ସଙ୍ଗେ ସଙ୍ଗେ ଆନ ନେତ୍ରୁ ହୁଏ ଅଶ୍ରୁପାତ

ବେନି ପିଣ୍ଡେ ଏକ ଆତ୍ମା ଏକ ମନ ପ୍ରାଣ

 

ବେନି ହୃଦେ ଏକ ତନ୍ତ୍ର ବାଜେ ସମତାନ

ସେ ମୋହନ ତନ୍ତ୍ର ସୂକ୍ଷ୍ମ ଛିଦ୍ର ଥିଲା କାହିଁ

 

ସ୍ୱପ୍ନେ ହେଲେ କେହି କେବେ ମନେ ଭାବି ନାହିଁ

ଚାହୁଁ ଚାହୁଁ ଚାରୁ ବୀଣା ହେଲା ବେନି ଭାଗ

 

ନାହିଁ ଆଉ ତାନ ଲୟ ନାହିଁ ଗୀତ ରାଗ

ଉପୁଜିଲା ଅଲକ୍ଷିତେ କାହୁଁ ଅମ୍ଳବିନ୍ଦୁ

 

ସ୍ୱାର୍ଥ ତାପେ ଛିଣ୍ଡାଇଲା ପ୍ରିତୀ-ପୟ-ସିନ୍ଧୁ

ସଂହତ ଶ୍ୟାମଳ ସ୍ନିଗ୍ଧ ଶୈଳଗର୍ଭେ ଲୁଚି,

 

ଥିଲା ଶିଳାଭେଦକ୍ଷମ ସୂକ୍ଷ୍ମ ବଜ୍ରସୂଚି

ଅକସ୍ମାତେ ବିଦାରିଲା ଶଇଳ ଶିଖର

 

ଏକ ଶୃଙ୍ଗ ଦ୍ୱିଧା ଏବେ ଯୋଜନ ଅନ୍ତର

ମଧ୍ୟେ ବହେ ଭୀମବେଗେ ବିଶାଳ ପ୍ରପାତ

 

ଘଟିବ କି ଆଉ ସତେ ବେନିଙ୍କ ସାକ୍ଷାତ ?

 

ନଶ୍ୱର ଭବେ କି ଏହି ଜୀବନର ଗତି,

 

କ୍ଷଣଭଙ୍ଗୁର କି ନର ପ୍ରଣୟ ପୀରତି ?

 

କଣ୍ଟକସଙ୍କୁଳ ପଥେ କୁସୁମ ବିତାନ

 

ମରୁଭୂମେ ପ୍ରେମ ସ୍ନିଗ୍ଧ ସଲିଳ ସମାନ

ମରପିଣ୍ଡେ ପ୍ରେମ ଏକ ଅମର ସଞ୍ଚାର,

 

ପାର୍ଥିବ ଜଗତେ ପ୍ରେମ ସ୍ୱର୍ଗ ସୁଧାକର

ପ୍ରେମର ଏ ପ୍ରଶସ୍ତି କି କବି କଳପନା,

 

ପ୍ରେମ କି କେବଳ ନୀଚ ସ୍ୱାର୍ଥର ଛଳନା ?

 

କୈଶୋରେ ଉପୁଜେ ପ୍ରେମ ମିଳି ପ୍ରାଣେ ପ୍ରାଣ

 

ଉତ୍ତର ବୟସେ ତାର ଏହି ପରିଣାମ ?

 

ଯୌବନ ସରସ ଭାବ ହୃଦୟ ପ୍ରସାର

 

ପ୍ରବୀଣ ଦୃଷ୍ଟିରେ ଘୋର ମସ୍ତିସ୍କ ବିକାର ?

 

ଜୀବନର ପଦେ ପଦେ କାହିଁ ତେବେ ମେଳ

 

ନୁହେଁ ପରା ଏ ଜୀବନ ବୃଥା ଶିଶୁ ଖେଳ ?

 

ଧିକ୍ ଧିକ୍ ଶତ ଧିକ୍ ପୌଢ଼ ପ୍ରବୀଣତା,

 

ନାଶେ ଯେ ମାନବ ହୃଦ ସ୍ନେହ ସରଳତା

ଗର୍ବ ଅହଙ୍କାରେ ଯାର ପୀରତି ପିହିତ

 

ଆବିଳ ପ୍ରାଣେ ଯେ ଗାଏ ପୁଣ୍ୟ ପ୍ରେମ-ଗୀତ

ବହିଯାଏ ଦୂର ଯାର ବିଶ୍ୱପ୍ରେମିକତା

 

ଈର୍ଷାନଳେ ଜଳେ ଆଦ୍ୟ ନିକଟ ମମତା

ଶୈଶବ ଉଦ୍ଦେଶ୍ୟହୀନ ସ୍ୱଚ୍ଛନ୍ଦ ସରଳ

 

ତରୁଣ ଉନ୍ମୁକ୍ତ ରମ୍ୟ କୋମଳ ତରଳ

ପ୍ରେମ-ପୁଲକିତ ନବ ମଧୁର ଯୌବନ,

 

ସରିଥାନ୍ତା ଏଥି ହେଲେ ମାନବ ଜୀବନ

ରହିବ କି ଚିରଦିନ ଯୋଜନ ଅନ୍ତର ?

 

ରହିବ କି ଯୋଜନ ଅତଳ ସାଗର ?

 

ଶୁଖିବ ନାହିଁ କି ସିନ୍ଧୁ ନିଦାଘେ କିରଣେ ?

 

ଘନିବ ନାହିଁ କି ଶୀତ ହିମ ଆବରଣେ ?

 

ନିର୍ମଳ ଶରଦ ଶଶୀ ଶୀତଳ କିରଣ

 

ମଧୁର ବଦନ୍ତ ମୃଦୁ ମନ୍ଦ ସମୀରଣ

ହରିବ ନାହିଁ କି କେବେ ପରାଣ ବେଦନା ?

 

ଘଟିବ ନାହିଁ କି ଆଉ ଯୁଗଳ ଯୋଜନା ?

 

ତୁଟିବ ନାହିଁ କି କେବେ ହୃଦୟରୁ ଦାଗ,

 

ଫୁଟିବ ନାହିଁ କି ଫୁଣି ପୂର୍ବ ଅନୁରାଗ ?

 

ଲିହି ଯେ ବୁକୁରେ ଶିର ଚାହିଁ ଆନ ମୁଖେ

 

ଶୋଇଥିଲା କୁତୂହଳେ ଏକ ମନ ସୁଖେ

ଯେତେଯେତେ କଥା ଅଛି ସେ ବୁକୁ ଭିତରେ

 

ଫିଟିବ ନାହିଁ କି ତାହା କେବେ ଏକାନ୍ତରେ ?

 

ଏକକୁ ଅନାଇ ଆନ ନେତ୍ରୁ ଅଶ୍ରୁଧାର

 

ବହିବ ନାହିଁ କି ଭେଦି ହୃଦୟ-ଦୁଆର ?

 

“ତୁ ଛାଡ଼ିଲେ ମୁଁ ତ ତତେ ନ ଛାଡ଼ିବି କ୍ଷଣେ”

 

କହିବି କି ଏକ ଆନେ ଇଙ୍ଗିତ ଈକ୍ଷଣେ ?

 

ନୀରବ ଆଳାପେ କହି ମରମ ଭାଷଣ

 

କରିବ ନାହିଁ କି ଏକ ଆନେ ଆଲିଙ୍ଗନ ?

 

ବିଭାସିବ ପ୍ରେମ ତେବେ ଅଭିନବ ରାଗେ

 

ଯୁଗଳ କମଳ କଳି ଫୁଟିବ ସରାଗେ

ବିଛେଦ ବିକାଶ ପ୍ରେମ ଅତି ମଧୁମୟ

 

ଶୀତ ଅନ୍ତେ ଶୋଭେ ସିନା ନବ କିଶଳୟ

Image

 

ବିଶ୍ୱର ମିଳନ ଚିତ୍ର

 

କାହିଁ ତପନ କେତେ ଦୂର ଅମ୍ବରେ

 

କାହିଁ ନଳିନୀ ତଳେ ଫୁଟଇ ସରେ,

 

ଉଇଁବା ମାତ୍ରେ ରବି କର ବଢ଼ାଇ

 

ନଳିନୀ ଅଙ୍ଗେ ଦିଅ ଅଙ୍ଗ ଲଗାଇ

।୧।

କାହିଁ ସୁନିଳ ନଭେ ବିରାଜେ ଇନ୍ଦୁ

 

କାହିଁ ଧରଣୀ ତଳେ ସୁନୀଳ ସିନ୍ଧୁ,

 

ପ୍ରେମେ ଲହରୀ-ବାଳା ଖେଳେ ଉଲ୍ଲାସେ

 

ସୁଧାଶୁଂ ସୁଧାମୟ କର ପରଶେ

।୨।

ସଞ୍ଚରେ ବାୟୁ କାହିଁ ଅନନ୍ତ ପଥେ

 

ନ ଭୁଲେ ପ୍ରୀତି ଗିରିଗୁହା ସଙ୍ଗତେ,

 

ନ କରି ଦିନ ବାର ଋତୁ ବାରଣ

 

ଦରୀ ସୁନ୍ଦରୀ ମୁଖ ଚୁମ୍ବେ ପବନ

।୩।

ନୀରଦ ଆଲିଙ୍ଗନେ ସଦା ସ୍ନେହରେ

 

ଚାପଇ ଚପଳାକୁ ନିଜ ଦେହରେ,

 

କଳା ହେଲେହେଁ ମେଘେ ପ୍ରେମ ପୁଲକେ

 

ଚାରୁ ଚପଳା ଚୁମ୍ବେ ନେତ୍ର ପଲକେ

।୪।

ବିସ୍ତାରି ଶାଖା-ଭୁଜ ତରୁ ସୁବେଶେ

 

ଲଳିତ ଲତା ତନୁ ପ୍ରେମେ ଆଶ୍ଳେଷେ,

 

ନ ଛାଡ଼େ ତରୁ ସଙ୍ଗ କେବେ ବ୍ରତତୀ

 

ସର୍ବାଙ୍ଗ ଶତମୁଖେ ଚୁମ୍ବଇ ସତୀ

।୫।

କଠିନ ଗିରିବକ୍ଷେ ଚୁମ୍ବେ ଝରଣା

 

ଅଙ୍ଗରେ ଅଙ୍ଗ ଛନ୍ଦି ଶୁଭବରଣା,

 

ସହେ ଶଇଳ ତାର ପ୍ରପାତ ଭାର

 

ସାଦରେ ସଦା ଯେହ୍ନେ ଗଳାର ହାର

।୬।

ଲଙ୍ଘି ସରିତ ବହୁ ପଥ ଦୁର୍ଗମ

 

ପ୍ରେମେ ଉଛୁଳେ ଲଭି ସିନ୍ଧୁ ସଙ୍ଗମ,

 

ଚୁମ୍ବିଲେ ସିନ୍ଧୁନୀର ବିଶାଳ ବାହୁ

 

ଗାଢ଼ ଆଶ୍ଳେଷେ ଦୃଶ୍ୟ ନ ହୁଏ ଆଉ

।୭।

ଭୁଲି ସାଗର ନିଜ ମହତପଣ,

 

ପ୍ରେମେ ଉନ୍ମାଦେ ଚୁମ୍ବେ ବେଳା ଚରଣ,

 

ମର୍ଯ୍ୟାଦା ଜଗି ମନା କରଇ ବେଳା

 

ଲାଗିଛି ଅନୁକ୍ଷଣ ଏ ପ୍ରୀତିଖେଳା

।୮।

ଚୁମ୍ବେ କଠିନ ଲୌହ କଠିନ ଶିଳା

 

ଜଗତେ କି ବିଚିତ୍ର ଏ ପ୍ରେମ ଲୀଳା,

 

ଚୁମ୍ବନ ଆଲିଙ୍ଗନୁ ପୀରତି କ୍ରିୟା

 

କ୍ଷଣକ ତରଳାଏ ପାଷାଣ ହିଆ

।୯।

ଶୂନ୍ୟ ସଂସାର ମୋର ଶୂନ୍ୟ ସଦନ

 

ଚୁମ୍ବନ ଆଲିଙ୍ଗନ ମତେ ସ୍ୱପନ,

 

କିଏ ବା ଦେବ ନେବ ପ୍ରେମ-ପୀୟୁଷ

 

ନୀରବ ହାହାକାରେ ଯିବ ଆୟୁଷ ?

।୧୦।

ମିଳିବ ନାହିଁ କି ସେ ପୀରତି ସୁଧା

 

ମୋ ଲାଗି ଶୁଷ୍କ କି ଏ ବିଶ୍ୱ-ବସୁଧା ?

 

ଆଦର ଆଲିଙ୍ଗନ ଚାରୁ ଚୁମ୍ବନ

 

ଦେବେ ନାହିଁ କି ପ୍ରାଣେ ପୁଣ୍ୟ ପ୍ରେରଣ ?

।୧୧।

ଜାଣେ ଅଛନ୍ତି ମୋର ପରାଣପତି

 

ସୁନ୍ଦର ସତ୍ୟ ଶିବ ଅଗତିଗତି,

 

ରହିଛି ନିତି ତାଙ୍କ ବାଟ ଅନାଇ

 

ହୃଦ-ପଲଙ୍କେ ଫୁଲଶେଯ ସଜାଇ

।୧୨।

ଦେଖିବି ଥରେ ଯେବେ ପରାଣନାହା

 

ଛାଡ଼ିବି ନାହିଁ ଭିଡ଼ି ଧରିବି ବାହା,

 

ବହିବି ମନ ଭରି ଚୁମ୍ବ ଆଶ୍ଳେଷ

 

ପୂରିବ ପ୍ରାଣ ପ୍ରାସ ହରିବ କ୍ଳେଶ

।୧୩।

ମିଶେ ସରିତ ଯଥା ମହାସାଗରେ

 

ଜଡ଼େ ବଲ୍ଳରୀ ଯଥା ତରୁ ଅଙ୍ଗରେ,

 

ନୀଳ ନୀରଦେ ଯଥା ଖେଳ ଚପଳା

 

ନିର୍ଝର ଧାରା ଯଥା ଗିରି ମେଖଳା

।୧୪।

ନାଚେ ଲହରୀ ଯଥା ଶଶୀ ପରଶେ

 

ନଳିନୀ ଯଥା ରବିକରେ ହରଷେ,

 

ମିଳାଇ ପ୍ରାଣ ତଥା ପ୍ରାଣେଶ ପଦେ

 

ନାଚିବି ବିଶ୍ୱପ୍ରେମ ପରମାନନ୍ଦେ

।୧୫।

ଗିରି ସାଗର ନଦୀ ତପନ ଶଶୀ

 

ସର୍ବେ ଚୁମ୍ୱିବେ ମୋତେ ପ୍ରେମେ ପରଶି,

 

ମୋ ପ୍ରାଣ ପ୍ରେମଧାରେ ଭାସିବ ଧରା

 

ହେବ ଏ ବିଶ୍ୱ ମୋର ପ୍ରେମ-ପସରା

।୧୬।

Image